ମାଲକାନଗିରି, ୧୦।୬(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଷ୍ମାବକାଶରେ ମାମୁଁ ଘରକୁ ବୁଲିବାକୁ ଯାଇଥିବା ଜଣେ ୮ ବର୍ଷ ଶିଶୁର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସେ ହେଲେ ମାଲକାନଗିରି ସଦର ବ୍ଲକ ପଦ୍ମଗିରି ପଞ୍ଚାୟତର ପ୍ରତାପ ଢାଲିଙ୍କ ୮ ବର୍ଷର ପୁଅ ଚନ୍ଦନ।
ପ୍ରକାଶ ଯେ, ଚନ୍ଦନ ପଦ୍ମଗିରି ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଗ୍ରୀଷ୍ମାବକାଶ ଯୋଗୁ ମାମୁଁ ଘର ଗୌଡ଼ଗୁଡା ପଞ୍ଚାୟତ ଏମ୍ଭି ୯ ନଂ. ଗ୍ରାମକୁ ବୁଲିବାକୁ ଯାଇଥିଲେ। ସୋମବାର ସକାଳେ ସେ ନିକଟ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲୋ। ଚନ୍ଦନ ପୋଖରୀରେ ଭାସୁଥିବା ଗ୍ରାମବାସୀଙ୍କଠାରୁ ଖବର ପାଇ ମାମୁଁ ଘରଲୋକେ ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମାଲକାନଗିରି ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।