ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ ଚନ୍ଦ୍ର ମାଝି (୪୫), ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମର୍ଦ୍ଦରାଜପୁର ଗ୍ରାମର ବୈକୁଣ୍ଠ ରାଉତ (୮୦) ଓ ରେମୁଣା ବ୍ଲକ ବୋଇତା ଗ୍ରାମର ଦୟାନିଧି ବେହେରାଙ୍କ ଦିବ୍ୟାଙ୍ଗ ପୁଅ ଗୌତମ(୭)।

ପୋଡ଼ାଡ଼ିହା ଗ୍ରାମର ଗୋପାଳ ଚନ୍ଦ୍ର ଅସାବଧାନତାବଶତଃ ଗାଁ ପୋଖରୀରେ ବୁଡ଼ିଯାଇଥିଲେ। ଗ୍ରାମବାସୀ ଦୀର୍ଘସମୟ ଧରି ଖୋଜାଖୋଜି କରି ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୬/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ନୀଳଗିରି ଥାନା ଔପଦା ବ୍ଲକ ମର୍ଦ୍ଦରାଜପୁର ଗ୍ରାମର ବୈକୁଣ୍ଠ ସୋମବାର ଅପରାହ୍ନରେ ଶୌଚ ହେବା ପାଇଁ ଘର ସମ୍ମୁଖ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। ପରେ ଜଣେ ପଡ଼ୋଶୀ ଗାଧୋଇବାକୁ ଯାଇଥିବା ବେଳେ ବୃଦ୍ଧ ଜଣକ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୋଲିସ ମେଡ଼ିକାଲରେ ପହଞ୍ଚତ୍ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରେମୁଣା ବ୍ଲକ ବୋଇତା ଗ୍ରାମର ଦିବ୍ୟାଙ୍ଗ ଗୌତମ ଘର ଅଗଣାରେ ଖେଳୁଥିବା ବେଳେ ନିକଟରେ ଥିବା ଏକ ପୋଖରୀରେ ବୁଡିଯାଇଥିଲେ। ଘର ଲୋକେ ପରେ ଖୋଜାଖୋଜି କରି ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ଗୌତମଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା