ପୋଖରୀ ଖୋଳା, ପୁନରୁଦ୍ଧାର କାମରେ ଅନିୟମିତତା ଅଭିଯୋଗ:ତଦନ୍ତ ଦାବିକଲେ ଗ୍ରାମବାସୀ

ଡୁବୁରୀ,୨୮।୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତାର ପୋଖରୀ ଖନନ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ଏବାବଦ ଅର୍ଥ ହଡପ ନେଇ ମସୁଧା ହେଉଥିବା କିଛିଦିନ ତଳେ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ା ସଂସାଇଲୋ ପଞ୍ଚାୟତରେ ଚାଷ ଜମିକୁ ଜଳ ସେଚିତ କରିବା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଜଳ କଷ୍ଟ ମୁକ୍ତ କରିବା ଉଦ୍ଦେଶ୍ୟରେ ୨ଟି ପୋଖରୀର ପୁନରୁଦ୍ଧାର ଓ ୨ ପୋଖରୀ ଖନନ ପାଇଁ ଜିଲା ଖଣିଜ ପାଣ୍ଠି ଅନୁଦାନ ଅର୍ଥରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉଛି। ଏଥିପାଇଁ ମୋଟ ୫୩ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ହେଲେ ବିଭାଗ ଦାୟିତ୍ୱହୀନତା ଏବଂ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ପ୍ରକଳ୍ପଗୁଡିକରେ ନାମ ମାତ୍ର କାମ କରାଯାଉଛି। ଫଳରେ ପ୍ରକଳ୍ପଗୁଡିକରୁ ସାଧାରଣ ଲୋକେ ଉପକାର ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନାହଁି। ୪ ଟି ପ୍ରକଳ୍ପ ମଧ୍ୟରୁ ଖରଖେଚା ଓ ଗୁଟୁଖଳିକା ପ୍ରକଳ୍ପର ପୁନରୁଦ୍ଧାର କରାଯାଉଥିବାବେଳେ ଅନ୍ୟ ଦୁଇଟି ପଣଷପାଳ ଓ ସିଆରିଆ ନୂତନ ଭାବେ ପୋଖରୀ ଖନନ କରାଯାଉଛି। କିନ୍ତୁ ପ୍ରକଳ୍ପରେ ସୁଇସ ଗେଟ ନିର୍ମାଣ କରାଯାଇ ନ ଥିବାବେଳେ ସ୍ବଳ୍ପ ଗଭୀରର ମାଟି ଖୋଳା ଯାଇଛି। ଏବେ ବର୍ଷାରେ ପୋଖରୀରେ ପାଣି ରହିଥିବାରୁ କେତେ ଗଭୀର ପର୍ଯ୍ୟନ୍ତ ଖୋଳାଯାଇଛି ତହା ଜଣାପଡୁ ନାହଁି। ଯେନତେନ ପ୍ରକାର କାମ ସାରିଦେଇ ବିଲ କରିନେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ତୋଫାନ ପଣ୍ଡାଙ୍କୁ ପଚାରିବାରୁ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହଁି ା ଠିକାଦାରଙ୍କୁ ଅଗ୍ରିମ କିଛି ଅର୍ଥ ପୈଠ କରାଯାଇଛି। ପ୍ରକଳ୍ପ କାମରେ କୌଣସି ଅନିୟମିତତା ହୋଇ ନ ଥିବା କହିଛନ୍ତି।