ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି।
୮ ମାସ ଧରି ଗଁାରେ ଥିବା ସରକାରୀ ନଳକୂପରୁ ଲୁଣାପାଣି ବାହାରୁଛି। ଫଳରେ ଏଠାରେ ବସବାସ କରୁଥିବା ୭୦୦ରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଁା ନିକଟରେ ଅନ୍ୟ କୌଣସି ନଳକୂପ ନ ଥିତ୍ବାରୁ ଲୋକେ ସ୍ଥାନୀୟ ଦୂଷିତ ପୋଖରୀ ଓ ନାଳ ପାଣି ଆଣି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଝାଡ଼ାବାନ୍ତି ଓ ବିଭିନ୍ନ ଚର୍ମରୋଗର ଶିକାର ହୋଇଥିବା ନେଇ ଅଭିଯୋଗ ହେଉଛି।
ଏହି ଗଁାର କେତେକ ଲୋକଙ୍କ କହିବା ଅନୁସାରେ, ୨୦୦୫ ମସିହାରେ ଗ୍ରାମରେ ଉକ୍ତ ସରକାରୀ ନଳକୂପ ଖୋଳାଯାଇଥିଲା। ଗଁାର ସମସ୍ତ ଲୋକ ଏହି ନଳକୂପରୁ ପାଣି ନେଇ ବ୍ୟବହାର କରୁଥିଲେ। ମାତ୍ର ୮ ମାସ ତଳେ ନଳକୂପଟି ଖରାପ ହୋଇ ଲୁଣାପାଣି ବାହାରିଥିଲା। ଏ ନେଇ ଗ୍ରାମବାସୀ ଗତ ମାର୍ଚ୍ଚ ମାସରେ ବାସୁଦେବପୁର ବିଡିଓ, ଜନସ୍ବାସ୍ଥ୍ୟ ଓ ଜଳ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ ଜଣାଇଥିଲେ। ଅବସ୍ଥାର ଗୁରୁତ୍ୱ ଉପଲବ୍ଧି କରି ଜଳ ଯୋଗାଣ ବିଭାଗ ଟ୍ୟାଙ୍କର ଯୋଗେ ଦୁଇମାସ ପାନୀୟ ଜଳ ଯୋଗାଇ ଦେଇଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜଳ ଯୋଗାଣ ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ବାସୁଦେବପୁରର ବିଧାୟକ, ବିଡିଓ, କନିଷ୍ଠ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଡାକ ଯୋଗେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମରେ ତୁରନ୍ତ ନଳକୂପ ଖୋଳାଯିବାକୁ ଅଜୟ ଜାନା, ପ୍ରଦୀପ ଜାନା, ଝାଡେଶ୍ୱର ମଣ୍ଡଳ, ବନମାଳି ବେହେରା ଓ ବୁଧିରାମ ବାରିକ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ପାଢୀଙ୍କୁ ପଚାରିବାରୁ ସେ ଏ ନେଇ ବିଭାଗକୁ ଅବଗତ କରାଇଥିବା ବେଳେ ନଳକୂପ ନିର୍ମାଣ ଲାଗି ବ୍ୟୟ ଅଟକଳ ପଠାଯାଇଥିବା କହିଛନ୍ତି।