ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜତ୍ୱ ସମୟରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଅନେକ ସାଗର ପ୍ରତିଷ୍ଠା ହୋଇଥିଲା। ଯାହାକୁ ନେଇ ଏହି ସହର ଦିନେ ସାଗରର ସହରଭାବେ ସମଗ୍ର ଓଡ଼ିଶାରେ ବେଶ୍ ପରିଚିତ ଥିଲା। ରାମ ସାଗର, ସୀତା ସାଗର, କୃଷ୍ଣ ସାଗର ସମେତ ୭ ବିରାଟକାୟ ସାଗର(ପୋଖରୀ) ରହିଥିଲା। ଜିଲାରେ କୃଷି କ୍ଷେତ୍ରରେ ଜନସେଚନର ସୁବିଧା ପାଇଁ ଏହି ଉତ୍ସଗୁଡ଼ିକୁ ରାଜା ପ୍ରତିଷ୍ଠା କରିଥିଲେ। ଏହାଦ୍ୱାରା କେବଳ ପାରଳା ସହର ସମେତ ଉପକଣ୍ଠ ଅଞ୍ଚଳର ଚାଷୀଙ୍କ ପାଇଁ ଜଳସେଚନର ପ୍ରମୁଖ ଉତ୍ସ ହୋଇଥିଲା। ରାମ ସାଗର, କୃଷ୍ଣ ସାଗରର ଜଳକୁ ଜଳସେଚନ ପାଇଁ ବ୍ୟବହାର କରି ଜିଲାର କେରାଣ୍ଡି, ପୁରୁଣାକେରାଣ୍ଡି, ଦେବିତୀ, ବି. ସୀତାପୁର, ଦୋନୁରୁ, ରାମଚନ୍ଦ୍ରପୁର, ଗଣ୍ଡାହାତୀ, ସିଙ୍ଗିପୁର, ଉପଲଡ଼ା, ମାଛମରା ଆଦି ଗ୍ରାମବାସୀ ନିର୍ଭର କରିଆସୁଥିଲେ। ସାଗରଗୁଡ଼ିକର ସଂଯୋଗୀକରଣ ମାଧ୍ୟମରେ ଅଞ୍ଚଳର ସମସ୍ତ ଚାଷୀ ଏଥିରୁ ଉପକୃତ ହେଉଥିଲେ। ଭଲ ଫସଲ ଅମଳ ଜିଲା ପାଇଁ ସମୃଦ୍ଧି ଆଣିବାରେ ସଫଳ ହୋଇଥିଲା। ସାଗର ଜଳ ଦ୍ୱାରା ଅଞ୍ଚଳର ମତ୍ସ୍ୟଜୀବୀ ମଧ୍ୟ ବେଶ୍ ଲାଭବାନ ହେଉଥିଲେ। ହେଲେ ଏବେ ସେଥିମଧ୍ୟରୁ ବହୁ ସାଗର ପୋତିହେବାକୁ ବସିଲାଣି। ଚାଷୀଙ୍କ ସୁନା ଫଳାଇବାର ସେହି ମାଧ୍ୟମ (ସାଗର)ଗୁଡ଼ିକ ଏବେ ବିଲୁପ୍ତ ଅବସ୍ଥାରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିରାଟକାୟ ସୀତା ସାଗର ସୀମାନ୍ତ ଆନ୍ଧ୍ର ପ୍ରଦେଶ ସହ ସଂଲଗ୍ନ ରହିଛି। ତାହା ଏବେ ସମ୍ପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ ରହିଛି। ଏହି ସାଗରର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲରେ ରଖି ବ୍ୟବସାୟରେ ଲଗାଇଛନ୍ତି। ସେହିପରି ରାମ ସାଗରର ସୌନ୍ଦର୍ଯ୍ୟକରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟକରଣ କିମ୍ବା ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରୁନି। ଏହା କେବଳ ନଥିପତ୍ରରେ ସୀମିତ ରହିଯାଉଛି। ସାଗରଗୁଡ଼ିକର ଅଧଃପତନ ଯୋଗୁ ଐତିହାସିକ ପାରଳାଖେମୁଣ୍ଡି ସହର ଏବେ ଶ୍ରୀହୀନ ହୋଇଛି। ଅଞ୍ଚଳର କୃଷକମାନେ ଏବେ ଜଳସେଚନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କୃଷିକ୍ଷେତ୍ର ପାଇଁ ବର୍ଷାଜଳ ହିଁ ଏକମାତ୍ର ସାହା ହୋଇଛି। ତେଣୁ ଜିଲାରେ ରହିଥିବା ଏହି ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇପାରିଲେ ପୁଣି ଜିଲାର ଚାଷ ଓ ଚାଷୀଙ୍କ ଉନ୍ନତି ଘଟିବା ସହ ଜିଲାର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।
– ରଶ୍ମିରଞ୍ଜନ ମିଶ୍ର