ପୋତି ହୋଇପଡ଼ିଛି ଡ୍ରେନ: ପୌରନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ମହିଳା

ବାସୁଦେବପୁର, ୧୦।୭ (ଡି.ଏନ.ଏ.): ବାସୁଦେବପୁର ପୌରପାଳିକାର ବିଭିନ୍ନ ଡ୍ରେନ ପୋତି ହୋଇପଡ଼ିଛି। ବର୍ଷାଦିନ ପୂର୍ବରୁ ଏହି ଡ୍ରେନଗୁଡ଼ିକ ସଫା କରାଯାଇ ନ ଥିବାରୁ ଚଳିତବର୍ଷ ସହରାଞ୍ଚଳବାସୀ ନାନା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ବାସୁଦେବପୁର ପୌରପାଳିକାର ୧୨ ନମ୍ବର ୱାର୍ଡ ଇଣ୍ଡିଆସାହି ନିକଟ ଅଞ୍ଚଳ ଓ ଗ୍ରାମରେ ଥିବା ଡ୍ରେନକୁ ସଫା କରାଯାଇ ନ ଥିବାବେଳେ ମଇଁଷାପଦା ନିକଟସ୍ଥ ମହାଦେବ ମନ୍ଦିରଠାରେ ଜଣେ ବ୍ୟକ୍ତି ନୟନଯୋରି ମୁହଁକୁ ଜବରଦଖଲ କରି ପୋତି ପକାଇଛନ୍ତି। ଫଳରେ ଜଳ ନିଷ୍କାସନରେ ଏହା ପ୍ରମୁଖ ପ୍ରତିବନ୍ଧକ ସାଜିଛି। ଗଁାର ଉପରମୁଣ୍ଡ ପାଣି ଗଡ଼ି ଆସି ଏଠାରେ ନିଷ୍କାସିତ ହୋଇପାରୁ ନାହିଁ। ଡ୍ରେନର ଅପରିଷ୍କାର ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏହି ଡ୍ରେନକୁ ସଫା କରାଯିବା ସହ ଜବରଦଖଲ ଉଚ୍ଛେଦ କରି ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି। ଏ ସମ୍ପର୍କରେ ପୂର୍ବରୁ ପୌରନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ କରି ଗ୍ରାମର ମହିଳାମାନେ ବୁଧବାର ପୌରନିର୍ବାହୀ ଅଧିକାରୀଙ୍କୁ ଭେଟି ପୁଣିଥରେ ସେମାନଙ୍କ ଦାବି ଜଣାଇଛନ୍ତି। ତୁରନ୍ତ ଏହି ଡ୍ରେନ ସଫା ସହ ଜବରଦଖଲମୁକ୍ତ କରିବାକୁ ଗ୍ରାମର ରୀନା ଦାସ, କୁନୁ ଦାସ, ବେବୀଲତା ଦାସ, ସସ୍ମିତା ଦାସ, ଚିନା ଦାସ ପ୍ରମୁଖ ଦାବି କରିଛନ୍ତି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୌରନିର୍ବାହୀ ଅଧିକାରୀ କହିଛନ୍ତି।

Share