Categories: ଜାତୀୟ

ପୋରବନ୍ଦର, ଦ୍ୱାରକାରେ ‘ବାୟୁ’ ତାଣ୍ଡବ ରଚିବା ଆଶଙ୍କା !

ଅହମ୍ମଦାବାଦ୍‌ ୧୩।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ପୋରବନ୍ଦର, ଦ୍ୱାରକା ଏବଂ ବେରାଓ୍ବଲ ନିକଟ ଦେଇ ଯିବାର କୁହାଯାଉଛି। ଏସବୁଠାରେ ବାୟୁ ତାଣ୍ଡବ ରଚିବାର ଆଶଙ୍କାଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୫୨ ଏନଡିଆର୍‌ଏଫ୍‌ ଟିମ୍‌ ଏବଂ ୯ ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି। ଏହାର ପ୍ରଭାବରେ ପୋରବନ୍ଦରରେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିବାର ଆଶଙ୍କା ରହିଛି। ବାତ୍ୟା ବାୟୁକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଉପକୂଳ ଅଞ୍ଚଳର ୫ ଶହ ଗାଁରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଉଦ୍ଧାରକାରୀ ଦଳଙ୍କୁ ସଜାଗ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ କଲେଜ ବନ୍ଦ କରାଯାଇଥିବାବେଳେ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।

Share