Categories: ଜାତୀୟ

ପୋର୍ଶ ଦୁର୍ଘଟଣା : ନାବାଳକଙ୍କ ରକ୍ତ ନମୁନା ଅଦଳବଦଳ କରି ୨ ଡାକ୍ତର ଗିରଫ

ପୁଣେ, ୨୮।୫: ପୁଣେ ପୋର୍ଶ କାର ଦୁର୍ଘଟଣା ମାମଲାର ନୂଆ ମୋଡ଼ ସାମ୍‌ନାକୁ ଆସିଛି। ଅଭିଯୁକ୍ତ ନାବାଳକଙ୍କୁ ପୁଣେର ସାସୁନ ସରକାରୀ ହସ୍ପିଟାଲକୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନିଆଯାଇଥିବାବେଳେ ସେଠାରେ ତାଙ୍କର ରକ୍ତ ନମୁନାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ ଅଦଳବଦଳ କରାଯାଇଛି। ସେହିପରି ନାବାଳକଙ୍କ ରକ୍ତ ନମୁନାକୁ ଏକ ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ଏକ ଖବରଦାତା ସମ୍ମିଳନୀ କରି ସୋମବାର ସୂଚନା ଦେଇଛନ୍ତି। ନାବାଳକଙ୍କ ବାପା ତଥା ସହରର ବିଶିଷ୍ଟ ବିଲ୍ଡର ସାସୁନ ହସ୍ପିଟାଲର ଡାକ୍ତରଙ୍କୁ ରକ୍ତ ନମୁନା ବଦଳାଇବାକୁ ପ୍ରଲୋଭିତ କରିଥିବା ଅମିତେଶ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାବାଳକଙ୍କ ରକ୍ତ ନମୁନାକୁ ଅଦଳବଦଳ କରି ପ୍ରମାଣ ନଷ୍ଟ କରିଥିବାରୁ ୨ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି। ସସୁନ ସରକାରୀ ହସ୍ପିଟାଲର ଫୋରେନ୍ସିକ ମେଡିସିନ ବିଭାଗ ମୁଖ୍ୟ ଡ. ଅଜୟ ତାଓ୍ବରେ ଏବଂ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ରୀହରି ହର୍‌ନୋଲଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ଅନୁମତି ପାଇ ପୁଣେ ପୋଲିସ କ୍ରାଇମବ୍ରାଞ୍ଚ ସୋମବାର ନାବାଳକଙ୍କ ବାପା ବିଶାଳ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି। ବିଶାଳଙ୍କ ବିରୋଧରେ ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ ଆଦି ଦଫା ସହ ନୂତନ ଅଭିଯୋଗ ଯୋଡ଼ାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷ ନିଜ ଉପରକୁ ନେବାକୁ ଡ୍ରାଇଭରଙ୍କୁ ଚାପ ପକାଇବା ଅଭିଯୋଗରେ ନାବାଳକଙ୍କ ଜେଜେବାପା ସୁରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ଶନିବାର ପୁଣେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Share