ପୋଲରୁ ଖସିଲା ପୋଲିସ ଗାଡ଼ି : ଥାନାଧିକାରୀ, ଡ୍ରାଇଭର ଗୁରୁତର

ରାଇକିଆ,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଗାଡ଼ି ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌ ପିଚ୍ଛା କରିବା ବେଳେ ଭାରସାମ୍ୟ ହରାଇ ପୋଲିସ ଗାଡ଼ିଟି ପୋଲ ତଳକୁ ଖସିପଡ଼ିଥିଲା। ଏଥିରେ ଥାନାଧିକାରୀ ଅଲେଖ ଗରଡ଼ିଆ, ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନଙ୍କ ସମେତ ୨ ଜଣ ହୋମଗାର୍ଡ ଆହତ ହୋଇଛନ୍ତି। ଥାନାଧିକାରୀଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ରାଇକିଆ ଡାକ୍ତରଖାନାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ପଠାଯାଇଛି।
ରାଇକିଆ-ମଣ୍ଡାକିଆ ରାସ୍ତାରେ ଯାଉଥିବା ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା ା ପୋଲିସ ଗାଡ଼ିରେ ଥାନାଧିକାରୀ ଗରଡ଼ିଆ ଓ ଅନ୍ୟମାନେ ଉକ୍ତ କାର୍‌କୁ ପିଛା କରିଥିଲେ। ମଣ୍ଡାକିଆ ପୋଲ ନିକଟରେ ପୋଲିସ ଗାଡ଼ି ଓଭରଟେକ ପାଇଁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଥାନାଧିକାରୀଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ। ଅନ୍ୟପକ୍ଷରେ ଗଞ୍ଜେଇ ଥିବା କାର୍‌ଟିକୁ ବୁଡ଼ାମାହା ନିକଟରେ ଛାଡ଼ି ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଏ ନେଇ ରାଇକିଆ ଥାନାରେ ନଂ.୪/୨୦ରେ ଏକ ମାମଲା ରୁଜୁ ହୋଇଛି ା ଜି.ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ବେଳେ ଟିକାବାଲି ଥାନାଧିକାରୀ ରେବତି ଶବର ତଦନ୍ତରେ ସହଯୋଗ କରିଥିଲେ। ଏସପିଙ୍କ ନିଦ୍ଦେର୍ର୍ଶକ୍ରମେ ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କିଡ଼ୋଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ା ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ବୋଲି ଏସ୍‌ଡିପିଓ କହିଛନ୍ତି।

Share