Categories: ଖେଳ

ପୋଲାଣ୍ଡ ୪, ଉଜ୍‌ବେକିସ୍ତାନ ୦

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡ ୪-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅଧିନାୟକ ପାୱେଲ ବ୍ରାଟକ୍ବସ୍କି ୫ମ ଓ ୩୬ତମ ମିନିଟରେ ୨ଟି ଏବଂ ମାଟେଉଜ୍‌ ହୁଲବୋଜ ୨୭ତମ ଓ ୪୦ତମ ମିନିଟରେ ୨ଟି ଗୋଲ ଦେଇଥିଲେ।
ର଼୍ୟାଙ୍କିଙ୍ଗର ୨୧ତମ ର଼୍ୟାଙ୍କ୍‌ ପୋଲାଣ୍ଡ ଓ ୪୩ତମ ର଼୍ୟାଙ୍କ୍‌ ଉଜ୍‌ବେକିସ୍ତାନ ମ୍ୟାଚ ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିଲା। ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୋଲାଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫ମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ପାୱେଲ ଗୋଲରେ ପରିଣତ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ପୋଲାଣ୍ଡ ୧-୦ରେ ଅଗ୍ରଣୀ ରହିଥିଲା। ଗୋଲ ପରିଶୋଧ ପାଇଁ ଉଦ୍ୟମରେ ଥିବା ଉଜ୍‌ବେକିସ୍ତାନ ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ପ୍ରଭାବହୀନ ପ୍ରଦର୍ଶନ କରିଥିଲା। ୨୭ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ଗୋଲ ଦେଇ ମାଟେଉଜ୍‌ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ପୋଲାଣ୍ଡର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ।
ମଧ୍ୟ ପୋଲାଣ୍ଡର ପ୍ରଭାବ ବଳବତ୍ତର ରହିଥିଲା। ଖେଳ ଆରମ୍ଭର ୬ମ ତଥା ମ୍ୟାଚର ୩୬ତମ ମିନିଟରେ ପାୱେଲ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ପୋଲାଣ୍ଡ ସ୍ଥିତିକୁ ମଜଭୁତ କରିଥିଲେ। ସେ ପେନାଲ୍ଟି କର୍ନରରୁ ଏହି ଗୋଲଟି ଦେଇଥିଲେ। ଏହାର ୪ ମିନିଟ ପରେ ମାଟେଉଜ୍‌ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଉଜ୍‌ବେକିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ପ୍ରଥମ ୩ଟି ଗୋଲ ପେନାଲ୍ଟି କର୍ନରରୁ ହୋଇଥିବାବେଳେ ଶେଷଟି ଫିଲ୍ଡ ଗୋଲ ହୋଇଥିଲା। ଅବଶିଷ୍ଟ ୨୦ ମିନିଟ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଉଜ୍‌ବେକିସ୍ତାନ ଗୋଲ ପରିଶୋଧ କରିପାରି ନ ଥିଲା। ଫଳରେ ପୋଲାଣ୍ଡ ୩ ପଏଣ୍ଟ ସହିତ ଅଭିଯାନ ଆରମ୍ଭ କରିଥିଲା। ଚମତ୍କାର ପ୍ରଦର୍ଶନ ପାଇଁ ମାଟେଉଜ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପର୍ଯ୍ୟଟନ, ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share