ପୋଲାଭରମ୍‌ ପ୍ରଳକ୍ପକୁ ନେଇ ବିଧାନସଭାରେ ଉଦ୍‌ବେଗ: ଗୃହ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରିର ବହୁ ଜଙ୍ଗଲ ଓ ଆଦିବାସୀ ଗାଁ ବୁଡିଯିବ। ତୁରନ୍ତ ଏହି ପ୍ରକଳ୍ପକୁ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଶୂନ୍ୟକାଳରେ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକଳ୍ପ ବନ୍ଦ କରିବାକୁ ଏକ ପ୍ରସ୍ତାବ ଗୃହରେ ଅଣାଯାଉ। ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକରି ପ୍ରକଳ୍ପ ବନ୍ଦ କରିବା ପାଇଁ ଦାବି ଜଣାଇବାକୁ ସେ କହିଥିଲେ। ଏହାକୁ କଂଗ୍ରେସ ଦଳ ସଦସ୍ୟ ତାରାପ୍ରସାଦ ବାହିନୀପତି ସମର୍ଥନ କରିବା ସହିତ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ପ୍ରକଳ୍ପ ବନ୍ଦ କରିବା ପାଇଁ ଆଗେଇ ଆସନ୍ତୁ। ଆଦିବାସୀଙ୍କ ସ୍ବାର୍ଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ୍ତ ନାଏକ, ମୁଖ୍ୟମନ୍ତ୍ରୀ ଏକ ବୈଠକ ଡାକି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ଅରବିନ୍ଦ ଢାଲି ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ମାଲକାନଗିରିର ସଂରକ୍ଷିତ ଜଙ୍ଗଲ ଏବଂ ୩୫ଟି ଆଦିବାସୀ ଗାଁ ବୁଡିଯିବ। ଏକ ହାଉସ୍‌ କମିଟିକରି ପ୍ରକଳ୍ପ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share