Categories: ଜାତୀୟ

ପୋଲିଂ ବୁଥ୍‌ରେ ଏଏପି କର୍ମୀଙ୍କୁ ଚାପୁଡ଼ା ମାରିବା ଉଦ୍ୟମ କଲେ ଅଳକା ଲାମ୍ବା: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କର୍ମୀଙ୍କୁ ପୋଲିଂ ବୁଥ୍‌ରେ ଚାପୁଡ଼ା ମାରିବା ଉଦ୍ୟମ କରିଥିବା କୁହାଯାଉଛି। ତେବେ ଉପସ୍ଥିତ ଲୋକଙ୍କ ଅନୁସାରେ ଚାପୁଡ଼ା ଏଏପି କର୍ମୀଙ୍କ ଗାଲରେ ବସି ନାହିଁ। ଅଳ୍ପକେ ସେ ଏଥିରୁ ରକ୍ଷା ପାଇଛନ୍ତି। ଅଳକା ଚାପୁଡ଼ା ମାରିବା ଉଦ୍ୟମ କରୁଥିବା ଦେଖି ସେ ଦୂରେଇ ଯାଇଥିଲେ। ଏହାର ଭିଡ଼ଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ଚାନ୍ଦନୀ ଚୌକ ଆସନରୁ ପ୍ରାର୍ଥୀ ହୋଇଥିବା ଅଳକାଙ୍କ ପୁଅଙ୍କୁ ନେଇ ଏଏପି କର୍ମୀ ଟିପ୍ପଣୀ ଦେଇଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଅଳକା ଏଭଳି କରିଥିବା କୁହାଯାଉଛି। ଚାନ୍ଦନୀ ଚୌକ ମଜନୁ ଟୋଲିର ପୋଲିଂ ବୁଥ୍‌ରେ ଏଭଳି ଘଟିଛି। ଉପସ୍ଥିତ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସମ୍ପୃକ୍ତ କର୍ମୀଙ୍କୁ ପୋଲିସ ନେଇଯାଉଥିବାବେଳେ ବି ଅଳକା ତାଙ୍କ ପଛରେ ଗୋଡ଼ାଉଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାକୁ ନେଇ କଂଗ୍ରେସ ଏବଂ ଏଏପି ମୁହାଁମୁହିଁ ହୋଇଛନ୍ତି।

Share