ପୋଲିଓ ଖାଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ବ୍ରହ୍ମଗିରି,୭ା୯(ଡି.ଏନ୍‌.ଏ.): ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅଢ଼େଇ ମାସର ଶିଶୁକନ୍ୟା ପୋଲିଓ ବୁନ୍ଦା ଖାଇ ଅସୁସ୍ଥ ହେବା ପରେ ଗୁରୁବାର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ପୋଲିଓ ଖାଇବାରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଶୁକ୍ରବାର ସକାଳୁ ଉକ୍ତ ଗ୍ରାମର ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରାୟ ୪ଘଣ୍ଟା ପରେ ଖବରପାଇ ପୋଲିସ ଓ ବ୍ରହ୍ମଗିରି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରଣବ ପ୍ରକାଶ ପୂର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚତ୍ ବହୁ ବୁଝାଶୁଝା ପରେ ଧାରଣାରୁ ଉଠିଥିଲେ। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବାକୁ କହି ସେଠାରୁ ଚାଲିଯାଇଥିଲେ। କିନ୍ତୁ ବିଡ଼ମ୍ବନାର କଥା ଯେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନା ପୋଲିସ ଜିମା ନେଲା ନା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦାୟିତ୍ୱ ନେଲେ। ଶେଷରେ ମୃତ ଶିଶୁକନ୍ୟାଙ୍କ ବାପା ଓ ତାଙ୍କ ଜେଜେ ଏକ ବାଇକ୍‌ ଯୋଗେ ଝିଅର ମୃତଦେହକୁ ପୁରୀ ଚିକିତ୍ସାଳୟକୁ ନେଇଥିଲେ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ଖବର ମୁତାବକ, ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିଓ ବୁନ୍ଦା ଖାଇଥିଲେ। ଏହି ପୋଲିଓ ବୁନ୍ଦା ଖାଇବା ପରେ ଶିଶୁକନ୍ୟାକୁ ଜ୍ୱର ହୋଇଥିଲା। ଏ ନେଇ ପରିବାର ଲୋକେ ଆଶକର୍ମୀଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିଓ ଖାଇବା ପରେ ଜ୍ୱର ହେବ ବୋଲି ସମ୍ପୃକ୍ତ ଆଶାକର୍ମୀ କହିଥିଲେ। କିନ୍ତୁ ଗୁରୁବାର ରାତିରେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ କେହି ଡାକ୍ତର ନ ଥିବାବେଳେ ଜଣେ ଫାର୍ମାସିଷ୍ଟ ଡିୟୁଟିରେ ଥିଲେ। କାର୍ଯ୍ୟରତ ଫାର୍ମାସିଷ୍ଟ ଶିଶୁଟିକୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ପରିବାର ପକ୍ଷରୁ ଶୁକ୍ରବାର ଥାନାରେ ଏକ ଅଭିଯୋଗ କରିବା ସହ ମୃତଦେହକୁ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ଆଗରେ ରଖି ଧାରଣାରେ ବସିଥିଲେ। ସକାଳ ୯ଟାରୁ ବସିଥିଲେ ମଧ୍ୟ ପ୍ରାୟ ୧୧ଟାବେଳେ ପୋଲିସ ଓ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପହଞ୍ଚତ୍ ପରିବାରବର୍ଗଙ୍କୁ ବୁଝାଶୁଝା କରିବାରୁ ଧାରଣାରୁ ଉଠିଥିଲେ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପୂର୍ଣ୍ଣ କୁହନ୍ତି, ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ଜନୈକ ପୋଲିସ ଅଧିକାରୀଙ୍କୁ ପଚାରିବାରୁ କଥାକୁ ଏଡାଇ ଦେଇ ଚାଲିଯାଇଥିଲେ।

Share