ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ ମାମଲା(ନଂ.୩୭୨/୧୯) ରୁଜୁ କରାଯାଇଛି। ୫ ଆକ୍ରମଣକାରୀ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦୋଳସାହି ଗ୍ରାମର ତପନ କୁମାର ଓଝା, ଦିଲୀପ କୁମାର ଭଞ୍ଜ, ନିରାକାର ଜେନା, ହରେକୃଷ୍ଣ ଜେନା ଓ ରାଢ଼ଙ୍ଗ ଗ୍ରାମର ଦାମୋଦର ଗିରି।
ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ଉକ୍ତ ମଦ ଦୋକାନ ନିକଟରେ ବାଇକ୍‌ ଦୁର୍ଘଟଣା ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ତିହିଡ଼ି ଥାନା ଏଏସ୍‌ଆଇ ବୈରାଗୀ ଚରଣ ଏକ୍କା ସଦଳବଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ପହଞ୍ଚିବା ବେଳକୁ କେତେକ ଯୁବକ ମଦ କାଉଣ୍ଟରକୁ ଇଟା ପଥର ଫୋପାଡ଼ିବା ସହ ଭଙ୍ଗାରୁଜା କରୁଥିଲେ। ଏଏସ୍‌ଆଇ ଏକ୍କା ସେମାନଙ୍କୁ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ କେତେକ ଯୁବକ ତାଙ୍କୁ ଧରି ନେଇ ନିକଟରେ ଥିବା ଧାନ ବିଲରେ ପକାଇ ଦେବା ସହ ମାଡ଼ ମାରିଥିଲେ ଓ ମୋବାଇଲ ଛଡ଼ାଇ ନେଇଯାଇଥିଲେ। ଅନ୍ୟ ପୋଲିସ କର୍ମଚାରୀମାନେ ଏଏସ୍‌ଆଇ ଏକ୍କାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ପରେ ଆହତ ଏଏସ୍‌ଆଇଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Share