Categories: ଯାଜପୁର

ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଥାନା ସମ୍ମୁଖରୁ ୩.୫୦ ଲକ୍ଷ ଟଙ୍କା ଲୁଟ୍‌

ଯାଜପୁର ଟାଉନ,୭ା୬(ଡିଏନଏ) :  ଯାଜପୁର ସହରରେ ଦିନକୁ ଦିନ ରାହାଜାନି, ଛିନ୍‌ତାଇ ବଢ଼ିବାରେ ଲାଗିଥିବାବେଳେ ଗୁରୁବାର ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଲୁଟେରା ଥାନା ସାମ୍ନାରୁ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶ ଯେ, ଯାଜପୁରସହର ବୃନ୍ଦାବନପୁର ଗ୍ରାମର ଶିକ୍ଷକ ରବିନାରାୟଣ ରଥ ତାଙ୍କ ଝିଅ ବାହାଘର ପାଇଁ ଯାଜପୁର ଷ୍ଟେଟ୍‌ ବ୍ୟାଙ୍କରୁ ଗୁରୁବାର ୩ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଯାଜପୁର ଥାନା ସମ୍ମୁଖରେ ଗାଡ଼ି ରଖି ତାଙ୍କ ଭାଇଙ୍କ ପାସ୍‌ପୋର୍ଟ କଥା ବୁଝିବା ପାଇଁ ଥାନାକୁ ଯାଇଥିଲେ। କିଛି ସମୟ ପରେ ଆସି ତାଙ୍କ ଗାଡି ଡ଼ିକି ଭଙ୍ଗାଯାଇ ସମସ୍ତ ଟଙ୍କା ଲୁଟ୍‌ ହୋଇଯାଇଥିବା ଦେଖିଥିଲେ। ଏ ସମ୍ପର୍କରେ ରଥ ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ଏକ ମାମଲା (ନଂ. ୧୪୬ /୧୯) ରୁଜୁ କରିଛି। ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ସ୍କୁଲ ପିଅନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ସୂଚନା ଥାଉକି, ଗତ ୨୯ ତାରିଖ ଯାଜପୁରସହର କୋର୍ଟ ନିକଟରୁ ଗାଡି ଡିକି ଭାଙ୍ଗି ୮୦ହଜାର ଟଙ୍କା ଲୁଟ୍‌ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ଲୁଟେରାଙ୍କର ପୋଲିସ କୌଣସି ସୁରାକ୍‌ ପାଇ ନ ଥିବାବେଳେ ଥାନା ସମ୍ମୁଖରୁ ଲୁଟ୍‌ ହେବା ଘଟଣା ପରେ ସହରବାସୀ ଛାନିଆ ହୋଇଯାଇଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ଯାଜପୁର ସହରରେ ରାହାଯାନୀ, ଛିନ୍‌ତାଇ, ଚୋରି ଆଦି ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ ଏହାକୁ ରୋକିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି।