ପୋଲିସକୁ ଚାପୁଡ଼ା ମାରିବାରୁ ଦଫା ୩୦୭

ଭୁବନେଶ୍ୱର,୨୨।୧(ବ୍ୟୁରୋ):ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। ପୋଲିସ ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ପୋଲିସ ଦଫା ୩୦୭ ଲଗାଇଛି। କିନ୍ତୁ ଲକ୍ଷ୍ମୀସାଗର ଥାନା କଟକ ରୋଡ଼ରେ ପଞ୍ଜାବୀ ଯୁବକ ପରବିନ୍ଦର ପାଲ ସିଂଙ୍କୁ ପୋଲିସ ସମ୍ମୁଖରେ ୭ଜଣ ଯୁବକ ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏକ ରାଜନୈତିକ ଦଳର ହୋଇଥିବାରୁ ପୋଲିସ ୩୦୭ ଲଗାଇଲା ନାହିଁ। ଏହାକୁ ନେଇ ଏବେ ପୋଲିସର ଅସଲ ଚେହେରା ପଦାରେ ପଡିଛି।
ମିଳିଥିବା ସୂଚନାନୁସାରେ, ଆଶୁତୋଷ ଦାଶ ନାମକ ଜଣେ ଯୁବକଙ୍କ ନାଁରେ କମିଶନରେଟ ପୋଲିସ ଏହି ଦଫା ଲଗାଇଛି। କିନ୍ତୁ ସେ ଅଭିଯୋଗ କରିଛନ୍ତି ୨୦୧୫ରୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ଗରିବ ହୋଇଥିବାରୁ ତାଙ୍କୁ ପାଖରେ ରଖି ପାଠପଢ଼ାଇଥିଲେ। ଶେଷରେ ସେମାନେ ଗୋଟିଏ ରୁମ୍‌ରେ ରହୁଥିଲେ। ସେମାନଙ୍କ ବିବାହକୁ ନେଇ ଉଭୟ ପରିବାର ଜାଣିଥିଲେ। କିନ୍ତୁ ଯୁବତୀ ଜଣକ ପୋଲିସ ଚାକିରି ପାଇବା ପରେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଯୁବତୀଜଣକ ବିଜୁପଟ୍ଟନାୟକ କଲେଜରେ ଟ୍ରେନିଂ ନେଉଥିବାବେଳେ ସେ ସେଠାରେ ପହଞ୍ଚତ୍ ପୂର୍ବରୁ ତାଙ୍କଠାରୁ ନେଇଥିବା ଗହଣା ଫେରାଇବାକୁ କହିଥିଲେ। କଥାବାର୍ତ୍ତାବେଳେ ଆଶୁତୋଷ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ଖଣ୍ଡଗିରି ଥାନା ପୋଲିସ କେସ୍‌ ନଂ.୫୦୫/୧୯ ଦଫା ୩୫୪, ୩୫୪(ଡି), ୩୪୧, ୩୨୩, ୩୦୭, ୨୯୪, ୫୦୬, ୩୪ ଏବଂ ଆଇଟି ଆକ୍ଟ ୬୭ ଲଗାଇ କୋର୍ଟ ଚାଲାଣ କରିଥିଲେ। ଜେଲରୁ ବାହାରି ଆଶୁତୋଷ ଡିସିପିଙ୍କୁ ଭେଟି ଗହଣା ଫେରି ପାଇବାକୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି।

Share