Categories: ମେଟ୍ରୋ

ପୋଲିସଙ୍କୁ ମାଗଣାରେ ଚା, ବିସ୍କୁଟ୍‌ ବାଣ୍ଟିଲେ ଧୀରେନ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣରୁ ରୋକିବା ଲାଗି ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। ଫଳରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରାଯାଇଥିବାବେଳେ ପୋଲିସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତାମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଯଦ୍ୱାରା ପୋଲିସ ଓ ଖବରଦାତାମାନେ ଦିନତମାମ ଖରାରେ ଛିଡ଼ା ହୋଇ ଲୋକଙ୍କୁ ବାହାରକୁ ନ ଯିବାକୁ ସତର୍କ କରାଇବା ସହ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି। ଏପରି କ୍ଷେତ୍ରରେ ସେମାନଙ୍କ ମନକୁ ସ୍ଥିର ରଖିବା ପାଇଁ ଭୁବନେଶ୍ୱରର ଜଣେ ଚା’ ଦୋକାନୀ ମହାନତା ଦେଖାଇଛନ୍ତି। ସେ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନଙ୍କୁ ମାଗଣାରେ ଚା’ ଓ ବିସ୍କୁଟ ଦେଉଥିବାର ଦେଖିବାକୁ ମିଳିଛିି। ସେ ହେଉଛନ୍ତି ମାଷ୍ଟରକ୍ୟାଣ୍ଟିନରେ ଚା’ ଦୋକାନ କରିଥିତ୍ବା ଧୀରେନ ବାରିକ। ତେବେ ଲକଡାଉନ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରିବା ପରେ ବାଇକ୍‌ରେ ବୁଲି ପୋଲିସ କର୍ମଚାରୀମାନଙ୍କୁ ଚା’ ଏବଂ ବିସ୍କୁଟ ଦେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧି ସେ ଚା’ ଦେବାକୁ ଯାଉଛନ୍ତି। ଏଥିପାଇଁ ପୋଲିସ କର୍ମଚାରୀମାନେ ପଇସା ଦେଲେ ମଧ୍ୟ ସେ ନେଉ ନାହାନ୍ତି। ଏ ନେଇ ଧୀରେନ କୁହନ୍ତି, ଲକଡାଉନ ଯୋଗୁ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ କାର୍ଯ୍ୟ କରୁଥିବା ପୋଲିସ ଓ ମିଡିଆ ଭାଇମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ମୁଁ ଚିନ୍ତା କଲି ତାଙ୍କ ପାଖରେ ଚା’ ପହଞ୍ଚାଇଲେ ସେମାନେ ଆଉ କିଛି ସମୟ ଭଲରେ ଡିୟୁଟି କରିପାରିବେ ଏବଂ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇପାରିବେ। ସେହିପରି ଜଣେ ପୋଲିସ କର୍ମଚାରୀ କହିଛନ୍ତି, ଏଭଳି ସମୟରେ ଧୀରେନ ଆମ ପାଖରେ ଚା’ ଟିକେ ପହଞ୍ଚାଉଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ।

Share