ଲକ୍ଷ୍ନୌ,୧୭।୧୨: ପରିବାରରେ ଯେତେବେଳେ ଜଣେ ପୁଅ ପୋଲିସ ପୋଷାକ ପିନ୍ଧେ ସେତେବେଳେ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି। ହେଲେ ଉତ୍ତରପ୍ରଦେଶ ମୁରଦାବାଦରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ଝିଅଙ୍କ ସଫଳତା ଲୋକଙ୍କୁ ଗର୍ବ କରିବାକୁ ଶିଖାଇଦେଇଛି। ସୋମବାର ଗୋଟିଏ ପରିବାରର ୨ଝିଅ ଓ ଜଣେ ପୁଅ ଏକାସାଙ୍ଗରେ ପୋଲିସରେ ଭର୍ତ୍ତି ହୋଇଛନ୍ତି। ଏନେଇ ପରିବାର ଓ ଗାଁଲୋକେ ଖୁସି ହେବା ସହ ଗର୍ବ ଅନୁଭବ କରିଛନ୍ତି। ସୂଚନାଯୋଗ୍ୟ, ମିରଠର ମଓ୍ବାନା ଥାନା ଅଞ୍ଚଳର ଦାନ୍ଦପୁରରେ କୃଷକ ବିପିନ ଶର୍ମାଙ୍କ, ସ୍ତ୍ରୀ ଉଷାଙ୍କ ସମେତ ୪ଝିଅ ଓ ୨ପୁଅ ରୁହନ୍ତି। ତାଙ୍କର ବଡ଼ ପୁଅ ବିବେକ, ଝିଅ ସାକ୍ଷୀ ଓ ମୀନାକ୍ଷୀ ଏବେ ପୋଲିସ ବିଭାଗରେ ସାମିଲ ହୋଇଛନ୍ତି। ଦୁଇ ଭଉଣୀ ସାକ୍ଷୀ ଓ ମୀନାକ୍ଷୀ ମୁରଦାବାଦର ୯ମ ପିଏସିରେ ପାସ୍ ହୋଇଥିବା ବେଳେ ଭାଇ ବିବେକ ଶର୍ମା ଅଲିଗଡରେ ସିପାହୀ ଟ୍ରେନିଂ ପୂରା କରି ପାସ୍ ହୋଇଛନ୍ତି। ଏକାସାଙ୍ଗରେ ଭଉଣୀ ଭାଇ ସଫଳତା ହାସଲ କରି ସୋମବାର ପୋଲିସ ବିଭାଗରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ବିପିନଙ୍କ ସାନ ଝିଅ ସିଭିଲସର୍ଭିସ ପାଇଁ ପ୍ରସ୍ତୁତ ହେଉଥବା ନେଇ ଜଣାପଡ଼ିଛି। ତେବେ ଝିଅମାନଙ୍କୁ ବୋଝ ଭାବୁଥିବା ବେଳେ ସେମାନଙ୍କର ଏଭଳି ସଫଳତା ପାଇଁ ପରିବାର ଲୋକଙ୍କ ଖୁସି କହିଲେ ନ ସରେ।