Categories: ଜାତୀୟ

ପୋଲିସର ବର୍ବରତା: ଆହତଙ୍କୁ ଜାତୀୟ ସଙ୍ଗୀତ ଗାଇବାକୁ ବାଧ୍ୟ କଲା

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ଦଙ୍ଗାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଜାତୀୟ ସଙ୍ଗୀତ ଗାଇବା ପାଇଁ ବାଧ୍ୟ କରାଯାଇଥିଲା। ଏଭଳି ଏକ ଭିଡ଼ିଓ ସାମନାକୁ ଆସିଛି। ଉତ୍ତରପୂର୍ବ ଦିଲ୍ଲୀ ଅନ୍ତର୍ଗତ କର୍ଦମପୁରୀ ଅଞ୍ଚଳର ଫୈଜାନ ନାମକ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଛି। ଓ୍ବେବ୍‌ସାଇଟ ଅଲ୍ଟନ୍ୟୁଜ୍‌ ଯାଞ୍ଚରୁ ଜଣାପଡିଛି ୫ ଜଣ ଆହତ ଯୁବକ ରାସ୍ତାରେ ପଡ଼ି ଜାତୀୟ ସଙ୍ଗୀତ ଗାଉଥିଲେ। ସେମାନଙ୍କୁ କେହିଜଣେ ଏଥିପାଇଁ ବାଧ୍ୟ କରୁଥିଲା। ସେମାନଙ୍କ ପାଖରେ ପୋଲିସ ଛିଡ଼ାହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଆହତ ଯୁବକଙ୍କ ମୁହଁ ପାଖରେ ଲାଠି ଦେଖାଇ ‘ଭଲ ଭାବରେ ଗାଅ’ ବୋଲି କହୁଥିବା ଦେଖାଯାଇଛି। ଜିଟିବି ହସ୍ପିଟାଲରେ ଫୈଜାନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଓ ଅନ୍ୟମାନଙ୍କୁ ପୋଲିସ ହାଜତକୁ ନେଇ ମାଡ଼ ମାରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲୁହା ରଡ୍‌ରେ ମାଡ଼ ଯୋଗୁ ଫୈଜାନଙ୍କର ଗୋଡ଼ ଭାଙ୍ଗିବା ସହ ଦେହ କଳା ପଡ଼ିଯାଇଛି।

Share