ପୋଲିସର ସହଯୋଗକୁ ଆଇଜିଙ୍କ ପ୍ରଶଂସା

ଅନୁଗୋଳ ଅଫିସ, ୨୮।୪

ଲକ୍‌ଡାଉନ୍‌ କଟକଣାକୁ ଅନୁଗୋଳରେ କଡ଼ାକଡ଼ି କରିବା ସହ ଭୋକିଲା ଓ ସହଯୋଗ ଲୋଡ଼ୁଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇପାରୁଥିବା ଅନୁଗୋଳ ପୋଲିସକୁ ପ୍ରଶଂସା କରିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସୋସିଆଲ ମିଡିଆ ପୋଷ୍ଟରେ ଆଇଜି ଲେଖିଛନ୍ତି ଯେ, ପୋଲିସ କେବଳ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରେ ନାହିଁ ବରଂ ଆବଶ୍ୟକ ପଡ଼ିଲେ ସମାଜସେବାରେ ମଧ୍ୟ ନିଜକୁ ନିୟୋଜିତ କରିପାରେ। ଜରୁରୀ ପରିସ୍ଥିତିରେ ଲୋକଙ୍କ ନିକଟରେ ଛିଡ଼ା ହୋଇପାରେ। ଏଥିସହ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଷ୍ଟାଡିୟମ ନିକଟରେ ଥିବା ଯାଯାବର ପିଲାମାନଙ୍କୁ କିପରି ଶୃଙ୍ଖଳିତ ଭାବେ ଛିଡ଼ା କରି ସେମାନଙ୍କ ହାତକୁ ଖାଦ୍ୟ ପୁଡ଼ିଆ ବଢ଼ାଉଛନ୍ତି ତାହାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଆଇଜିଙ୍କ ଉକ୍ତ ପୋଷ୍ଟକୁ ଅନେକ ଲାଇକ୍‌ ମିଳିଥିଲା ବେଳେ ବହୁ ସେୟାର ମଧ୍ୟ କରାଯାଇଥିବା ଦେଖିବାକୁ ମିଳୁଛି। ଏ ନେଇ ଅନୁଗୋଳ ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ସେବା କରିବାର ସୁଯୋଗ ମିଳିଥିବାରୁ ସେମାନେ ଧନ୍ୟ ମନେ କରୁଛନ୍ତି। ନିଜ ପରିବାରକୁ ଛାଡ଼ି ସମାଜ ଓ ଦେଶ ପାଇଁ କାର୍ଯ୍ୟ କରୁଥିବାବେଳେ କାହାର ଭୋକିଲା ପେଟକୁ ଆହର ଦେବା ଆତ୍ମସନ୍ତୋଷ ଦେଇଥାଏ।

Share