ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍‌ ଭେଲୁ ଓ ପ୍ରଭାତ ନାୟକ ଓରଫ ମିଟୁନା। ସେମାନଙ୍କ ନିକଟରୁ ବନ୍ଧୁକ, ବାଇକ ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି।
ପ୍ରକାଶ ଯେ, ଏକ ପଲସର ଗାଡିରେ ଭେଲୁ ଓ ମିଟୁନା ମାର୍ଶାଘାଇରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଜିଲା ପୋଲିସକୁ ଖବର ମିଳିଥିଲା। ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ଓ ଜିଲା ସ୍ପେଶାଲ ସ୍କ୍ବାଡ ଏସ୍‌ଆଇ ପି. କେ. କାନୁନ୍‌ଗୋଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଅଭିଯୁକ୍ତଦ୍ୱୟ ପୋଲିସକୁ ଗୁଳିକରି ଖସି ପଳାଇିବାକୁ ଚେଷ୍ଟା କରିବାରୁ ପୋଲିସ ପକ୍ଷରୁ ୪ ରାଉଣ୍ଡ ଗୁଳିଚାଳନା ହୋଇଥିଲା। ଭେଲୁଙ୍କ ୨ ଗୋଡ଼ରେ ୨ଟି ଗୁଳି ବାଜିଥିବାବେଳେ ମିଟୁନାଙ୍କୁ ଗୋଟିଏ ଗୁଳି ବାଜିଛି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଅଭିଯୁକ୍ତ ଗତ ସେପ୍ଟେମ୍ବରରେ ମାର୍ଶାଘାଇ ଥାନା ମଣିକୁଣ୍ଡା ହତ୍ୟାକାଣ୍ଡ ଓ ଗତ ଅଗଷ୍ଟ ମାସରେ ଘଟିଥିବା କଳପଡ଼ା ଗୁଳିକାଣ୍ଡ ଘଟଣାରେ ଜଡିତଥିବା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା ସୂଚନା ଦେଇଛନ୍ତି।

Share