ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏପରିକି କେତେକ ଇଲୋଟ୍ରୋନିକ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ। ଏହାପରେ ପୋଲିସ ବାଧ୍ୟ ହୋଇ ସମ୍ପୃକ୍ତ ବିଜେଡି ନେତା ତଥା ଝାରସୁଗୁଡା ଜିଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ଗତ ମଙ୍ଗଳବାର ରାତିରେ ଗିରଫ କରିଛି। ପୋଲିସ ତାଙ୍କ ନାମରେ ବେଲପାହାଡ ଥାନାରେ ମାମଲା(ନଂ. ୧୭୦/୧୯)ରେ ରୁଜୁ କରି ତଦନ୍ତ ଚଳାଇଥିବା ବୁଧବାର ନିଜ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଶ୍ବନୀ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ଗତ ସୋମବାର ରାତି ସାଢ଼େ ୮ଟାରେ ବେଲପାହାଡ଼ ଥାନା ସବ୍‌ଇନସ୍ପେକ୍ଟର ଅର୍ଜ୍ଜୁନ ଓରାମ ସ୍ଥାନୀୟ ରେଳ ଫାଟକ ନିକଟରେ ଛିଡା ହୋଇ ଲୋକଙ୍କୁ ଟ୍ରାଫିକ ସଚେତନତା କରାଉଥିଲେ। ଏହି ସମୟରେ ବିଧାୟକ କିଶୋର ମହାନ୍ତି ଗାଡିରେ ଆସି ସେଠାରେ ପହଞ୍ଚିଥିଲେ। ପୋଲିସ ଅଧିକାରୀ ଓରାମ ବିଧାୟକଙ୍କୁ ସିଟ ବେଲ୍ଟ ପିନ୍ଧିବାପାଇଁ ଅନୁରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକଙ୍କ ସମର୍ଥକ ଶମ୍ଭୁ ମହାନ୍ତି ପୋଲିସ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଅନ୍ୟତ୍ର ବଦଳି କରିବା ପାଇଁ ଧମକ ଦେଇଥିବା ନେଇ ଏସ୍‌ପି କହିଛନ୍ତି।

Share