ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଥିଲେ। ଏହାର ୬ ଘଣ୍ଟା ନ ପୂରୁଣୁ ଏହି ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁର ଭୀମ ଦୋରା (୪୬)ଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଦୁଇଟି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପାହାଡପଦର ଓ ବାବୁପଦରରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବାବୁପଦରର ଭୀମ ଖାଇପିଇ ପରିବାର ସହିତ ଘରେ ଶୋଇଥିଲେ। ବାହାର ପଟୁ କବାଟର ଠକ୍‌ଠକ୍‌ ଶବ୍ଦ ଶୁଣି ଭୀମଙ୍କ ନିଦ ଭାଙ୍ଗିଯାଇଥିଲା । କବାଟ ଖୋଲି ଦେଖିବା ବେଳେ ୪ ଜଣ ସଶସ୍ତ୍ର ମାଓବାଦୀ ଭୀମଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ସେ ମନା କରିବାରୁ ଜୋର ଜବରଦସ୍ତ ମାଓବାଦୀମାନେ ଗାଁରୁ ୧୦୦ ମିଟର ଦୂରକୁ ଉଠାଇ ଆଣିଥିଲେ। ପରିବାର ଲୋକେ କାକୁତି ମିନତି କରିଥିଲେ ସୁଦ୍ଧା ଶୁଣିଲେନି। ଗାଁ ମୁଣ୍ଡକୁ ନେଇ ଗୁଳିକରି ହତ୍ୟା କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଖରେ ଏକ ସାଦା କାଗଜରେ ଲେଖା ଛାଡି ଯାଇଥିଲେ। ସେହି ଲେଖା ଅନୁସାରେ ୨୦୧୬ରେ ଗୁଣ୍ଡାରାଶି ପାହାଡରେ ମାଓବାଦୀଙ୍କ ଶିବିର ଚାଲୁଥିବା ବେଳେ ପୋଲିସକୁ ଖବର ଦେଇ ଆକ୍ରମଣ କରାଇଥିଲେ। ସେଥିପାଇଁ ଭୀମାଙ୍କୁ ହତ୍ୟା କରାଯାଇଛି ବୋଲି ସାଦା କାଗଜରେ ଦର୍ଶାଯାଇଛି। ଏହା କଳାହାଣ୍ଡି ଏରିଆ କମିଟି ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି। ସୋମବାର ସକାଳ ୮ଟାରେ ବିଶ୍ୱନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଲାଞ୍ଜିଗଡ ନେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏପଟେ ରବିବାର ୧୨ଟାରେ ପାହାଡପଦର ବଜାରରେ ମାଓବାଦୀଙ୍କ ଗୁଳିରେ ରାଜେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପାରି ନ ଥିଲା। ଦିନ ତମାମ ଓ ରାତିସାରା ସମ୍ପର୍କୀୟମାନେ ମୃତଦେହକୁ ଜଗି ରହି ପୋଲିସକୁ ଅପେକ୍ଷା କରିଥିଲେ। ସୋମବାର ସକାଳୁ ବିଜେପୁର ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଯାଇଛି । ୧୨ଘଣ୍ଟା ମଧ୍ୟରେ ମାଓବାଦୀମାନେ ଦୁଇଟି ନରସଂହାର କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ପୋଲିସର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ଦେଖିବାକୁ ବାକି ରହିଲା ।

Share