ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବବ୍‌ଲୁ ଆହତ

କଟକ ଅଫିସ୍‌, ୧୧।୧୨: କଟକ ନାରାଜରେ ବୁଧବାର ସକାଳେ ପୋଲିସ ଏନକାଉଣ୍ଟର କରିଛି। ଚୌଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ବାଡର ମିଳିତ ଭାବେ କରାଯାଇଥିବା ଏହି ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ ପାୱାର ଓରଫ ବବୁଲ ଆହତ ହୋଇଛନ୍ତି। ବବୁଲଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବବଲୁଙ୍କ ଠାରୁ ଏକ ୭.୬୨ ଏମଏମ ବନ୍ଧୁକ, ୨ଟି ଜୀବନ୍ତ ଗୁଳି ଓ ୩ଟି ଖୋକା ଜବତ କରାଯାଇଛି। ବବଲୁଙ୍କ ଘର ମହାରାଷ୍ଟ୍ର ଅମରାବତୀ ଜିଲାରେ ହୋଇଥିବା ବେଳେ ସେ କଟକ ଜଗତପୁର ଅଞ୍ଚଳରେ ରହୁଥିଲେ।
ସୂଚନା ଅନୁଯାୟୀ, ବୁଧବାର ଭୋର ପ୍ରାୟ ୪ଟା ସମୟରେ ବବଲୁ ଓ ତାଙ୍କ ସାଥୀ ନରାଜ ବଜାର ଅଞ୍ଚଳରେ ଏକ ପରିତ୍ୟକ୍ତ ସରକାରୀ ଗୋଦାମ ଘରେ ଲୁଚିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗୋଦାମକୁ ଚାରିପଟରୁ ଘେରିଯାଇଥିଲେ। ପୋଲିସକୁ ଦେଖି ବବଲୁ ଓ ତାଙ୍କ ୨ଜଣ ସାଥି ଗୁଳି ଚଳାଇଥିଲେ। ଅଭିଯୁକ୍ତମାନେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାର ଯବାବରେ ନିଜକୁ ବଞ୍ଚେଇବାକୁ ଯାଇ ଚୌଦ୍ୱାର ଥାନା ଅଧିକାରୀଙ୍କ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ବବଲୁଙ୍କ ଡାହାଣ ଗୋଡ଼ରେ ବାଜିଥିବା ବେଳେ ଅନ୍ୟ ୨ ସହଯୋଗୀ ଖସିଯାଇଥିଲେ। ପୋଲିସ ବବଲୁଙ୍କୁ କାବୁ କରିଥିଲା। ଏହି ଏନକାଉଣ୍ଟର ସମୟରେ ଚୌଦ୍ୱାର ଥାନାର ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ନେଇ କଟକ ଡିସିପି ଆଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ବବଲୁଙ୍କ ନାଁ ରେ ପୂର୍ବରୁ ବିଭିନ୍ନ ଜିଲାରେ ଏକାଧିକ ମାମଲା ରହିଛି। ସେହିଭଳି ସୋମବାର ଚୌଦ୍ୱାର ଅଞ୍ଚଳରେ ଏକ ସୁନା ଦୋକାନରୁ ଲୁଟ ଉଦ୍ୟମ ସମୟରେ ସେହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଚୌଦ୍ୱାରା ପୋଲିସ ଗିରଫ କରିଥିବା ବେଳେ ବବଲୁ ଓ ତାଙ୍କର ଅନ୍ୟ ୨ଜଣ ସାଥୀ ଖସିଯାଇଥିଲେ। ତେବେ ବବଲୁଙ୍କ ୨ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି।

Share