ବଲାଙ୍ଗୀର ଅଫିସ, ୧୭ା୬: ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା-ଦୁହେଲ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣାଙ୍କୁ ପୋଲିସ ଏନ୍କାଉଣ୍ଟର କରିଛି। ଏଥିରେ ସୀତାରାମ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ପିସ୍ତଲ ଜବତ କରିଛି। ଡକାୟତି, ଲୁଟ୍, ଛିନ୍ତାଇ, ହତ୍ୟା ଓ ଅନ୍ୟାନ୍ୟ ଆପରାଧିକ ଘଟଣାରେ ସମ୍ପୃକ୍ତ ଥିବା ସୀତାରାମଙ୍କୁ ପୋଲିସ ଖୋଜୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ପୋଲିସ ଟିମ୍ ରବିବାର ରାତି ପ୍ରାୟ ୧୧ଟାରେ ମହୀମୁଣ୍ଡା ନିକଟରେ ତାଙ୍କୁ ଘେରିଥିଲା। ତେବେ ସେ ପୋଲିସ ଉପରକୁ ଗୁଳି ଚାଳନା କରି ଫେରାର ହୋଇଯିବାକୁ ଚେଷ୍ଟା କରିବାରୁ ପ୍ରତିପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ତାଙ୍କ ବାମ ଗୋଡରେ ଗୋଟିଏ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିବା ସଦର ଏସ୍ଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି।