ସମ୍ପ୍ରତି ଭୁବନେଶ୍ୱର-କଟକ ଦ୍ୱୈତନଗରୀରେ ହିଂସା, ମହିଳା ଓ ଶିଶୁ ନିର୍ଯାତନା, ଆପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ୍ ସମସ୍ୟା ବୃଦ୍ଧିପାଇବାରେ ଲାଗିଛି। ଏଭଳିସ୍ଥିତିରେ ନିକଟରେ ପୋଲିସ କମିଶନରେଟ ଭାବେ ଦାୟିତ୍ୱ ନେଇଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଧନଜୀବନକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦେବେ ବୋଲି ଷଡ଼ଙ୍ଗୀ କହିଛନ୍ତି। ବିଶେଷକରି ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଲାଗୁ ପରେ ବିଭିନ୍ନ ମହଲରୁ ବିରୋଧ ହେବା ସହ ରାଜମହଲରେ ପୋଲିସ-ଜନତା ମୁହଁମୁହିଁ ଘଟଣା ପୋଲିସକୁ ଏକ ପ୍ରକାର ଅଡ଼ୁଆରେ ପକାଇ ଦେଇଥିଲା। ଏହା ସତ୍ତ୍ୱେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ପୋଲିସ କମିଶନର। କୌଣସି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଲେ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ। ଆଉ ଏହି ପରିବର୍ତ୍ତନ ପାଇଁ ଲୋକମାନଙ୍କ ସହଯୋଗ ଲୋଡ଼ା ବୋଲି ଷଡ଼ଙ୍ଗୀ ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍କାରରେ କହିଛନ୍ତି।
ନୂଆ ମୋଟରଯାନ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଆପଣ କ’ଣ କହିବେ?
-ଏ ପ୍ରସଙ୍ଗ ଆମ ରାଜ୍ୟ ବା କମିଶନରେଟ ପୋଲିସର ପ୍ରସଙ୍ଗ ନୁହେଁ। ଏହା ଏକ ବ୍ୟାପକ ପ୍ରସଙ୍ଗ। ସମଗ୍ର ଦେଶବାସୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହା ଲୋକଙ୍କ ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ପ୍ରତିବର୍ଷ ପାଖାପାଖି ଦେଢ଼ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି। ଗତ ୧୦ବର୍ଷ ଧରି ପାର୍ଲାମେଣ୍ଟ ସଦସ୍ୟ ଏବଂ ସୁପ୍ରିମ୍କୋର୍ଟ ବିଚାରପତି ଏହା ଉପରେ ତର୍ଜମା କରିବା ପରେ ଏହି ଆଇନରେ ପରିବର୍ତ୍ତନ କରିଛନ୍ତି। ଆଗରୁ ଅର୍ବାନ ପୋଲିସ ଆକ୍ଟ ଅନୁସାରେ ୫ଶହ ଟଙ୍କା ନିଆଯାଉଥିଲା ବର୍ତ୍ତମାନ ନୂଆ ଆଇନ ଲାଗୁ ହେବା ପରେ ୧୦୦୦ଟଙ୍କା ନିଆଯାଉଛି। ଯାଞ୍ଚ ସମୟରେ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଜଣେ ଆଇନଜୀବୀ ପଚାରିଲେ ଯେ, ଆଜି ପର୍ଯ୍ୟନ୍ତ କେଉଁଠି ଶୋଇଥିଲେ। ଘଟଣାସ୍ଥଳରେ ତାଙ୍କ ପ୍ରଶ୍ନକୁ ମୁଁ ସ୍ବାଗତ କରିବା ସହ କହିଲି, ଆପଣ ଜଣେ ଆଇନଜୀବୀ ଓ ଆଇନର ରକ୍ଷକ ହୋଇ ଦେଶ ସ୍ବାଧୀନତାର ୭୨ବର୍ଷ ପରେ ଯଦି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇବେ ତେବେ ସାଧାରଣ ଲୋକ କିପରି ସଚେତନ ହେବେ। ତେଣୁ ଜନସାଧାରଣ ସଚେତନ ହୁଅନ୍ତୁ, ନିଜକୁ ପରିବର୍ତ୍ତନ କରାନ୍ତୁ। ଟଙ୍କାଟିଏ ବି ଜନସାଧାରଣ ଜରିମାନା ଯେପରି ନ ଦିଅନ୍ତୁ ତାହା ଆମର ଲକ୍ଷ୍ୟ। ଅନେକ ବୁଦ୍ଧିଜୀବୀ ଏହାକୁ ସ୍ବାଗତ କରୁଛନ୍ତି ଏହା ବଡ ଖୁସିର କଥା। ଏହାକୁ ନେଇ ଯେଉଁ ବିଶୃଙ୍ଖଳା ମନୋଭାବ ସୃଷ୍ଟି ହେଉଛି ତା’ ବିରୋଧରେ ଜନସଚେତନତା ସୃଷ୍ଟି ହେଉ।
ନିୟମ ଊଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ବିଷୟରେ କ’ଣ କହିବେ?
-ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ୩ମାସ ପର୍ଯ୍ୟନ୍ତ ନୂଆ ମୋଟରଯାନ ଆଇନକୁ କୋହଳ କରିଛନ୍ତି। ତେଣୁ ଏବେ ମଦ୍ୟପାନ କରି ଗାଡ଼ି ଚଳାଇବା, ବିପରିତ ଦିଗରେ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ତିନିଜଣ ବସି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ଯିଏ ଅବମାନନା କରୁଛି, ସେମାନଙ୍କୁ ଜରିମାନା ଦେବାକୁ ପଡୁଛି। ଏହାଛଡ଼ା ନିୟମ ଉଲ୍ଲଂଘନ କଲେ ୨ପ୍ରକାର ଜରିମାନା କରାଯାଇଥାଏ। ଗୋଟିଏ ଘଟଣାସ୍ଥଳରେ ଆପଣ ଜରିମାନା ଚାଲାଣ କାଟି ଯାଇପାରିବେ। ନଚେତ ଅନ୍ୟଟି ହେଲା ଆପଣଙ୍କୁ କୋର୍ଟରେ ଜରିମାନା ଭରିବାକୁ ପଡିଥାଏ। ଘଟଣାସ୍ଥଳରେ କାର୍ଯ୍ୟରତ ପୋଲିସ ବା ଟ୍ରାଫିକ ଅଧିକାରୀଙ୍କୁ ଆପଣ ଫାଇନ ଦେଇ ଯାଇପାରିବେ। ନଚେତ ଆପଣଙ୍କ ନାମରେ ଚାଲାଣ କାଟିବା ପରେ ଆପଣ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇ ଅଧିକ ଖର୍ଚ୍ଚାନ୍ତ ହେବା ସହ ସମୟ ନଷ୍ଟ କରିବାକୁ ପଡ଼ିବ। ଯେହେତୁ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ନୂତନ ମୋଟରଯାନ ଅଇନ ଲାଗୁ କରାଯାଇଛି, ରାଜ୍ୟସରକାର ବା ଆମେମାନେ ଚାହିଁଲେ ଏଥିରେ କୌଣସି ପରିବର୍ତ୍ତନ ଆଣିପାରିବୁ ନାହିଁ। ତେଣୁ ଲୋକମାନେ ଏଥିପ୍ରତି ସଚେତନ ହୁଅନ୍ତୁ। ଆମ ଦେଶରେ ଯେପରି ମୋଟରଯାନ ଆଇନର ଊଲ୍ଲଂଘନ ହେଉଛି ଅନ୍ୟ କୌଣସି ଉନ୍ନତ ଦେଶରେ ହେଉ ନାହିଁ। ଟ୍ରାଫିକ ଓ ମୋଟରଯାନ ନିୟମର ଉଲ୍ଲଂଘନ କରି ଆମେ ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଉଛେ। ତେଣୁ ଫାଇନ ଦେବା ଅପେକ୍ଷା ପରିବାର କେତେ ଗୁରୁତ୍ୱପୂର୍ଣ୍ଣ ଏହାକୁ ମନେରଖିବା ବହୁତ ଜରୁରୀ।
ଏବେ ଆର୍ଟିଓ କାର୍ଯ୍ୟାଳୟ ଓ ପଲ୍ୟୁଶନ ସେଣ୍ଟରରେ ଲମ୍ବା ଧାଡ଼ି ଲାଗୁଛି। ଭାବୁଛନ୍ତି ୩ମାସ ମଧ୍ୟରେ ଲୋକମାନେ ସବୁ କାଗଜ ଠିକ୍ କରି ନୂଆ ଆଇନକୁ ଗ୍ରହଣ କରିପାରିବେ?
-ଆରଟିଓ କାର୍ଯ୍ୟାଳୟରେ ଅଧିକ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟ କରିବା ସହ ଛୁଟିଦିନରେ କାର୍ଯ୍ୟ ଜାରି ରହିଛି। ଦିନକୁ ମାତ୍ର ୫୦ଟି ଡ୍ରାଇଭିଂ ଟେଷ୍ଟ ନିଆଯାଉଥିବାରୁ ଡିଏଲ୍ ପାଇଁ ଅଧିକ ସମୟ ଲାଗୁଛି। ବାକି କାଗଜପତ୍ର କରିବାରେ ଏତେ ମାତ୍ରାରେ ସମସ୍ୟା ହେଉନି। ଅନେକ ଲୋକଙ୍କ ଡିଏଲ ନ ଥିବାରୁ ଏହାକୁ ବିଚାରକୁ ନିଆଯାଇ ଏହାର ସମାଧାନ ନେଇ କାର୍ଯ୍ୟ କରାଯିବ। ପଲ୍ୟୁଶନ ସାର୍ଟିଫିକେଟ ପାଇଁ ଅଧିକ ସଂଖ୍ୟାରେ ପଲ୍ୟୁଶନ ସେଣ୍ଟର ଖୋଲାଯାଇଛି। ତେଣୁ ଏହା ଭିତରେ କାଗଜପତ୍ର ଠିକ୍ କରିବାର ଆବଶ୍ୟକତା ରହିଛି। କେବଳ କାଗତପତ୍ର ଠିକ୍ କଲେ ଟ୍ରାଫିକ ସମସ୍ୟାର ସମାଧାନ ହେବନି। ଲୋକମାନଙ୍କୁ ଲେନ୍ ଡ୍ରାଇଭିଂ ଦ୍ୱାରା ଅଭ୍ୟସ୍ତ କରାଯାଉଛି। ଯାହାକି ସେମାନେ ରାସ୍ତାର ଠିକ୍ ବ୍ୟବହାର କରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଏବଂ ଏନ୍ଜିଓ ଦ୍ୱାରା ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ।
ରାଜମହଲ ଛକରେ ପୋଲିସ ଜନତା ମୁହଁାମୁହିଁ ହେବା ସହ ଅସନ୍ତୋଷ ଦେଖାଯିବାର ମୁଖ୍ୟ କାରଣ କ’ଣ ଥିଲା।
-ସରକାରୀ କର୍ମଚାରୀଙ୍କଠାରୁ ଜନସାଧାରଣ ଆଇନ ଆଗରେ ସମସ୍ତେ ସମାନ। ଯିଏ ଏହି ଆଇନକୁ ଊଲ୍ଲଂଘନ କରୁଛନ୍ତି, ସେମାନେ ଆଇନର ପରିସରଭୁକ୍ତ ହେଉଛନ୍ତି। ରାଜମହଲଠାରେ ସୃଷ୍ଟ ବିବାଦ ପୋଲିସ ଓ ଜନସାଧାରଣଙ୍କ ଭିତରେ ନୁହେଁ, ବରଂ ନୂତନ ଆଇନ ଓ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ପରଣତି। ଯେହେତୁ ପୋଲିସ ଉକ୍ତ ଆଇନକୁ କାର୍ଯ୍ୟକାରୀ କରୁଛି, ତାହାକୁ ନେଇ ପୋଲିସକୁ ବଦନାମ୍ କରିବାକୁ ଚେଷ୍ଟା କରାଯାଉଛି। ସେଦିନ ଚେକିଂ ବେଳେ ଜଣେ ମହିଳା ସାମ୍ବାଦିକ ଏବଂ କିଛି ବୁଦ୍ଧିଜୀବୀ କାଗଜପତ୍ର ଦେଖାଇ ପାରି ନ ଥିଲେ। ଏପରି କି ଜରିମାନା ଦେବାକୁ ମଧ୍ୟ ମନା କରିଥିଲେ। ମାତ୍ର ପୋଲିସ ନ ଛାଡ଼ିବାରୁ ସେମାନେ ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗିଥିଲେ। ଏହାପରେ ଲୋକେ ଜମା ହେବା ସହ ରାଜମହଲ ଛକରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା। ଜନସାଧାରଣ ଏକାଠି ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ ଟେକା ପଥର ମାଡ଼ କରି ଆଇନକୁ ହାତକୁ ନେବାକୁ ଚେଷ୍ଟା କରିଥିଲେ। ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳ ଖାଲି କରି ଚାଲିଯିବାକୁ ମାଇକ ଦ୍ୱାରା କୁହାଯାଇଥିଲା। ଏହାପରେ ମଧ୍ୟ ଲୋକ ଓଲଟା ପୋଲିସ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ଓ ଘଟଣାସ୍ଥଳରୁ ନ ଯିବାଫଳରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯେତେବେଳେ ଆମେ ଆଇନ ଅମାନ୍ୟ କରି ଲଢ଼େଇ କରି ସ୍ବାଧୀନତା ହାସଲ କରିଛୁ, ଆମମାନଙ୍କ ମନରେ ଏକ ଅସ୍ପଷ୍ଟ ଚିନ୍ତାଧାରା ରହିଛି। ପୋଲିସ ଆଇନକୁ ପାଳନ କରିବାକୁ ଯାଇ କାର୍ଯ୍ୟାନୁଷ୍ଠାନ ନେଲେ ଆମେ ରାଷ୍ଟ୍ର ଓ ସରକାରଙ୍କୁ ସନ୍ଦେହ ଦୃଷ୍ଟିକୋଣରେ ଦେଖୁଛୁ। ଆଇନକୁ କଡ଼ାକଡ଼ି କଲେ ଲୋକମାନଙ୍କ ମନରେ ଆସୁଛି ଯେ, ପୋଲିସ ଆମ ଉପରେ ଜୁଲମ କରୁଛି। ମାତ୍ର ତାହା ଠିକ ନୁହେଁ, ଏହା ଏକ ଭୁଲ ଚିନ୍ତାଧାରା। ଲୋକଙ୍କ ମଙ୍ଗଳ ପାଇଁ ଆଇନ ହେଉଛି। ତେଣୁ ଆଇନକୁ ସମସ୍ତେ ସମ୍ମାନ ଦିଅନ୍ତୁ।
ଟୁଇନ୍ ସିଟିର ଲୋଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବା ନେଇ କ’ଣ କହିବେ?
-ଲୋକମାନଙ୍କୁ ପୋଲିସର ନିକଟତର କରିବା ସହ ଉତ୍ତମ ସେବା ପାଇଁ ରିପୋର୍ଟ କାର୍ଡ ବ୍ୟବସ୍ଥା କରାଯାଇଛି। ଯାହା ଜନସାଧାରଣଙ୍କୁ ଅନେକ ସାହାଯ୍ୟ କରିବ। ଏନେଇ ସହଯୋଗୀ କର୍ମଚାରୀ, ଉପରିସ୍ଥ କର୍ମଚାରୀ ଓ ଟୁଇନସିଟିର ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ମୁଁ ସୃଜନଶୀଳତାରେ ବିଶ୍ୱାସ କରେ, ନୂଆ କିଛି କରିବାର ଆଶା ରଖି କାର୍ଯ୍ୟ କରୁଛି। ଭିନ୍ନ କିଛି କରିବା ପାଇଁ ଚିନ୍ତା ଓ ପ୍ରୟାସ ଚଳାଇଛି। କେତେ ସଫଳ ହେବି ବିଫଳ ହେବି ସମୟ କହିବ।
– ପ୍ରସ୍ତୁତି: ଜ୍ୟୋତିରଞ୍ଜନ ମହାପାତ୍ର