ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା ପରେ ତାଙ୍କୁ ଏଠାରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି କନୱର ବିଶାଳ ସିଂ ସ୍ବାଗତ କରିଥିଲେ । ରିଜର୍ଭ ପଡିଆରେ ପୋଲିସ କର୍ମଚାରୀମାନଙ୍କ ସହ ଡିଜି ଆଲୋଚନା କରିଥିଲେ । ୮ମାସର ଗର୍ଭବତୀ ଥାଇ ମଧ୍ୟ କରୋନା ମୁକାବିଲାରେ କାର୍ଯ୍ୟ କରୁଥିବା ଟାଉନ ଥାନା ଏଏସ୍‌ଆଇ ତ୍ରିଶା ଖେସ, ଗୋଡ ଭାଙ୍ଗି ଆହତ ହୋଇ ବି କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ମନୋରମା ଶତପଥୀ ଓ ହୋମଗାର୍ଡ ମେରିୟମ ରେଡ୍ଡିଙ୍କୁ ଡିଜି ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଓ ପରିବାର ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଅଫିସ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜିଲାପାଳ ଶୁଭମ୍‌ ସକସେନା, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଲାଲ, ଏସପି ସିଂ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଜିଲାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ବାହାରୁ ତଥା ଅନ୍ୟ ଜିଲାର ବିନା ପଞ୍ଜିକରଣରେ ଅନେକ ଲୋକ ଆସିବାର ସମ୍ଭାବନା ରହୁଛି । ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଥିଲେ । କରୋନା ମୁକାବିଲା ପାଇଁ କିଭଳି ଭାବେ ପଦକ୍ଷେପ ନିଆଯାଉଛି ସେ ନେଇ ସମୀକ୍ଷା କରିଥିଲେ । ଏହାପରେ ସେ ଲକ୍ଷ୍ମୀଟକିଜ ଛକରେ ପହଞ୍ଚତ୍ଥିଲେ । ସେଠାରେ ଟ୍ରାଫିକ ଡିଏସ୍‌ପି ହିମାଂଶୁ ବେହେରା, ଏଏସଆଇ ରତିକାନ୍ତ ବିଶ୍ୱାଳ, କନଷ୍ଟେବଲ ମାଧୁରୀ ଛୁରିଆ, ଶିବଶଙ୍କର ବେହେରାଙ୍କ ସହ ଆଲୋଚନା କରିଥିଲେ । ପରିବାରରେ ସମସ୍ତେ କେମିତି ଅଛନ୍ତି, ନିଜର ସ୍ବାସ୍ଥ୍ୟ କିଭଳି ରହିଛି, କେତେ ଦିନ ହେଲା କରୋନା ମୁକାବିଲାରେ କାର୍ଯ୍ୟରତ, ଛୁଟି ଠିକ ସମୟରେ ମିଳୁଛି କି ନାହିଁ, ଖାଦ୍ୟ ପାନୀୟ ବ୍ୟବସ୍ଥା ଠିକ ସମୟରେ ଦିଆଯାଉଛି କି ନାହିଁ ବୋଲି କର୍ମଚାରୀମାନଙ୍କୁ ପଚାରି ବୁଝିଥିଲେ। ପରେ କ୍ଷେତରାଜପୁର ଥାନା, ଧନୁପାଲି ଥାନା ଓ ଟାଉନ ଥାନା ପରିଦର୍ଶନ କରିଥିଲେ । ସେଠାରେ ୫-ଟି କାର୍ଯ୍ୟକାରତା ଉପରେ ତଦାରଖ କରିଥିଲେ।

Share