ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗଞ୍ଜେଇ ଚୋରାଚାଲାଣକାରୀ

ମାଲକାନଗିରି,୧୭।୯(ଡି.ଏନ.ଏ): ୨ ବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ରୋକିବାରେ ମାଲକାନଗିରି ପୋଲିସ ସଫଳ ରହିଛି। ଏହି ସମୟ ମଧ୍ୟରେ ଜିଲାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚୋରା ବ୍ୟାପାରୀଙ୍କୁ ପୋଲିସ ଗିରଫ କରିବା ସହ ଦଶ ଚକିଆ, ଚାରି ଚକିଆ, ଛଅ ଚକିଆ, ଦଇ ଚକିଆ ଓ କ୍ୟାଣ୍ଟିନର ଜବତ କରିଛି ା ପାଖାପାଖି ୫୦୦ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରି ପ୍ରଶଂସିତ ହୋଇଛି ପୋଲିସ। କିନ୍ତୁ ଜଣେ ପୋଲିସ୍‌ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ଗଞ୍ଜେଇ ଚୋରାଚାଲାଣକାରୀ। ଲକ୍ଷେ ଟଙ୍କା ଲାଞ୍ଚଦେଲେ ଛାଡିଦେବି ବୋଲି ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଚିତ୍ରକୋଣ୍ଡା ଥାନା କେସ୍‌ ନମ୍ବର ୯୫ ଅନୁଯାୟୀ, ଏକ ପାଣି ବୋଝେଇ ଟ୍ରକ୍‌ ତଳେ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ପୋଲିସ ଜାଣି ଗାଡି ଏବଂ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜବ୍‌ତର ସିଂ, ବଣ୍ଟି ସିଂଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଗଞ୍ଜେଇ ଗାଡି ଜବତ ସମୟରେ ଚିତ୍ରକୋଣ୍ଡା ଥାନାର ଜଣେ ପୋଲିସ କର୍ମଚାରୀ (ହୋମ୍‌ଗାର୍ଡ) ଜବ୍‌ତର ଏବଂ ବଂଟିଙ୍କୁ କେସ୍‌ରୁ ମୁକ୍ତ କରାଇବା ପାଇଁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ା ହେଲେ ସେମାନଙ୍କ ନିକଟରେ ଅର୍ଥ ନ ଥିବାରୁ କେସ୍‌ରୁ ମୁକ୍ତି ପାଇଯିବେ ଭାବି ପ୍ରଥମେ ଏକ ଲକ୍ଷ ଟଙ୍କାର ଚେକ୍‌ ଦେବେ ବୋଲି କହିଥିଲାବେଳେ ଆମେ ହରିୟାଣାରେ ପହଞ୍ଚିବା ପରେ ଆଉ ଏକ ଲକ୍ଷ ଟଙ୍କା ଦେବୁ ବୋଲି କହିଥିଲେ। ଏକ ଲକ୍ଷ ଟଙ୍କାର ଚେକ୍‌ ଦେଲା ପରେ ଚିତ୍ରକୋଣ୍ଡା ପୋଲିସ ୨ ଅଭିଯୁକ୍ତଙ୍କ ଗଞ୍ଜେଇ ଗାଡି ଜବତ କରି ଥାନାରେ କେସ୍‌ ନମ୍ବର ୯୫ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ ା ହରିୟାଣାର ଏହି ୨ ବ୍ୟକ୍ତି ମାଲକାନଗିରି ଜେଲ୍‌ରେ ଥିବା ଖବର ପାଇଲା ପରେ ତାଙ୍କ ପିତା ମାଲକାନଗିରି ଆସି ପୁଅକୁ ସାକ୍ଷାତ କଲା ପରେ ଏହି ସବୁ ଘଟଣା ପ୍ରକାଶ କରିଛନ୍ତି। ତେବେ ଏ ଘଟଣା ସମ୍ବନ୍ଧରେ ଚିତ୍ରକୋଣ୍ଡା ଥାନାର କୌଣସି ପୋଲିସ ଅଧିକାରୀ ଜାଣି ନ ଥିବା କହିଛନ୍ତି।