ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ମାଲକାନଗିରି ଜିଲା ଚିକିତ୍ସାଳୟ ଓ ପରେ କୋରାପୁଟ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ରାତିରେ ତାଙ୍କୁ ବ୍ରହ୍ମପୁର ନେଉଥିବା ବେଳେ ରାୟଗଡ଼ା ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି ମହିଳା ଜଣକ ପୋଲିସ କ୍ୟାଣ୍ଟିିନରେ ଦୀର୍ଘଦିନ ଧରି କାମ କରିଆସୁଥିଲେ। ଗତ ୭ରେ କ୍ୟାଣ୍ଟିନ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମହିଳାଙ୍କ ଦେହ ଖରାପ ଥିବା ନେଇ ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ପରେ ପୀଡ଼ିତାଙ୍କୁ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ବଳାତ୍କାର କରାଯାଇଥିବା ସେ ଆଶଙ୍କା କରୁଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ କହିଛନ୍ତି। କୋରାପୁଟ ଡିଆଇଜି ସଫିନ୍‌ ଅହମ୍ମଦ ଏସମ୍ପର୍କରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଅସୁସ୍ଥ ଅବସ୍ଥାରେ ସମ୍ପୃକ୍ତା ମହିଳାଙ୍କୁ ଘରୁ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଏହି ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଜୁନ ୯ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ମାଲକାନଗିରି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ହେବା ପରେ ପରବର୍ତ୍ତୀ ଶୁଣାଣି ହେବ। ସାମାଜିକ କର୍ମୀ ନମ୍ରତା ଚଢା ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।

Share