ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର :ବହିଷ୍କୃତ ପୋଲିସ କନଷ୍ଟେବଳ ଗିରଫ, ୩ ଅଟକ

ପୁରୀ ଅଫିସ, ୩।୧୨: ଶ୍ରୀକ୍ଷେତ୍ରରେ ଘଟିଛି ପୁଣି ଏକ କଳଙ୍କିତ ଘଟଣା। ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଛନ୍ତି। ନିଜକୁ ପୋଲିସ ବୋଲି ପରିଚୟ ଦେଇ ଜଣେ ଯୁବକଙ୍କ ସମେତ ୪ଜଣ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ଘଟଣା ପ୍ରଚାରିତ ହେବା ପରେ ପୋଲିସ ପ୍ରତି ଅଙ୍ଗୁଳି ଉଠିଛି। ପୁରୀ ଏସ୍‌ପି ଉମାଶଙ୍କର ଦାଶ ତୁରନ୍ତ କୁମ୍ଭାରପଡ଼ା ଥାନାରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯୁବତୀଙ୍କ ବୟାନକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ତଥା ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର କୁମାର ସେଠୀ(ନଂ. ୪୫୦)ଙ୍କୁ ଗିରଫ କରିଛି। ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ପୋଲିସ ଏକ କାର ଏବଂ କନଷ୍ଟେବଳଙ୍କ ପରିଚୟପତ୍ର ଜବତ କରିଛି। ଏନେଇ ଥାନାରେ ଆଇପିସି ଦଫା ୩୭୬, ପୋକ୍‌ସୋ ଆକ୍ଟ ଅନୁଯାୟୀ କେସ୍‌ ନଂ. ୩୦୮/୧୯ରେ ଏକ ମାମଲା ରୁଜୁ ହୋଇଛି। ଥାନାରେ ଡିଆଇଜି ଆଶିଷ କୁମାର ସିଂ ପହଞ୍ଚତ୍ ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇ ରାତି ପ୍ରାୟ ୧୧ଟାରେ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସେହିପରି ପୁରୀରେ ଭାଜପା ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ପୀଡ଼ିତାଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ କୁମ୍ଭାରପଡ଼ା ଥାନା ଘେରାଉ କରିବା ସହ ରାସ୍ତାରୋକୋ କରିଥିଲେ। ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସହ ସ୍ଥାନୀୟ ଲୋକ ଓ ଭାଜପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ମହିଳା ମୋର୍ଚ୍ଚା ନେତା ଓ କର୍ମୀଙ୍କୁ ବୁଝାଶୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଉଠିଥିଲେ।
ପୀଡିତାଙ୍କ ବୟାନ ଅନୁଯାୟୀ, ସେ କାକଟପୁର ଯିବା ଲାଗି ନିମାପଡ଼ା ବସ୍‌ଷ୍ଟାଣ୍ଡରେ ସନ୍ଧ୍ୟା ପ୍ରାୟ ୬ଟାରେ ଅପେକ୍ଷା କରିଥିଲେ। ବସଷ୍ଟାଣ୍ଡ ପ୍ରାୟ ଫାଙ୍କା ରହିଥିଲା। ଏହି ସମୟରେ ସେଠାରେ ଏକ କାର୍‌ ଅଟକିଥିଲା। ଜିତେନ୍ଦ୍ର କାରରୁ ବାହାରି ଏଠି କାହିଁକି ଏକା ଠିଆ ହୋଇଛ ବୋଲି ପଚାରିଥିଲେ। ପୀଡିତା ସନ୍ଦେହ କରିବାରୁ ସେ ନିଜକୁ ପୋଲିସ ବୋଲି କହିବା ସହ ପରିଚୟ ପତ୍ର ଦେଖାଇଥିଲେ। ପରେ ତାଙ୍କୁ କାକଟପୁରରେ ଛାଡିଦେବେ ବୋଲି କହିଥିଲେ। ପୀଡ଼ିତା ପୋଲିସ ପରିଚୟ ପାଇବା ପରେ ଭରସା କରି କାରରେ ବସିଥିଲେ। କିନ୍ତୁ କାର ଭିତରେ ଆଉ ୩ଜଣ ଯୁବକ ଥିଲେ। ସେମାନେ ତାଙ୍କୁ କାକଟପୁର ନେବା ପରିବର୍ତ୍ତେ ପୁରୀ ଝାଡେଶ୍ୱରୀ ଛକସ୍ଥିତ ପୋଲିସ ରିଜର୍ଭରେ ଥିବା ଜଣେ କନଷ୍ଟେବଳଙ୍କ କ୍ୱାର୍ଟର୍ସକୁ ନେଇଥିଲେ। ସେଠାରେ ଜିତେନ୍ଦ୍ର ଓ ଅନ୍ୟଜଣେ ତାଙ୍କୁ ଗଣବଳାତ୍କାର କରିଥିବାବେଳେ ଆଉ ଦୁଇଜଣ ବାହାରେ ଅପେକ୍ଷା କରିଥିଲେ। କିନ୍ତୁ କୌଶଳ କ୍ରମେ ସେ ସେଠାରୁ ଖସି ଆସି ଥାନାରେ ପହଞ୍ଚତ୍ଥିଲେ ବୋଲି ପୀଡ଼ିତା ବୟାନ ଦେଇଥିବା ଡିଆଇଜି ସିଂ କହିଛନ୍ତି। ଏସ୍‌ପି ଦାଶ କହିଛନ୍ତି ଯେ, ପୀଡ଼ିତା ଖସି ଆସିବା ସମୟରେ ତାଙ୍କ ମୋବାଇଲ ଫୋନରେ ଅଭିଯୁକ୍ତମାନଙ୍କ ଭିଡିଓ ରେକର୍ଡଂ କରିଥିଲେ। ସେଥିରେ ଅଭିଯୁକ୍ତମାନେ ମଦ୍ୟପାନ କରୁଥିବା ଦୃଶ୍ୟ ରହିଥିବା ଦାଶ କହିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନାମରେ ପୂର୍ବରୁ ଜଣେ ମହିଳାଙ୍କୁ ପୋଡି ମାରିଦେବା ଉଦ୍ୟମରେ ମାମଲା ରୁଜୁ ହୋଇଛି। ସେହି ଘଟଣାରେ ଜିତେନ୍ଦ୍ରଙ୍କୁ ୧୬।୨।୨୦୧୯ରେ ଚାକିରିରୁ ବହିଷ୍କୃତ କରାଯାଇଥିଲା।
ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାଶ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ମହିଳା ସଂଗଠନ ତୀବ୍ର ବିରୋଧ କରିଛନ୍ତି। ପ୍ରକାଶ ଯେ, ଗତ ରଥଯାତ୍ରା ସମୟରେ ଗୁୁଣ୍ଡିଚା ମନ୍ଦିର ନିକଟ ବସ୍‌ଷ୍ଟାଣ୍ଡରେ ଏକ ଘରୋଇ ବସ୍‌ ଭିତରେ କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିଲା।

Share