Categories: ଜାତୀୟ

ପୋଲିସ ଚାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲୁ, ନ୍ୟାୟ ନ ମିଳିଲେ ଉଠାଇବୁ ତଲୁଆର: କମଲେଶଙ୍କ ମା’

ଲକ୍ଷ୍ନୌ,୨୦।୧୦: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ତିୱାରୀଙ୍କ ମା’, ସ୍ତ୍ରୀ ଏବଂ ୩ ପୁଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ଭେଟି ୩୦ ମିନିଟ ଧରି ଆଲୋଚନା କରିଥିଲେ। ଏହି ସାକ୍ଷାତ୍‌ ପରେ କମଲେଶଙ୍କ ମା’ ଏକ ମତ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ କହିଛନ୍ତି, ଆମେ ପୋଲିସ ଚାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ। ଯଦି ଆମକୁ ନ୍ୟାୟ ନ ମିଳେ, ତେବେ ଆମେ ତଲୁଆର ଉଠାଇବାକୁ ପଛାଇବୁ ନାହିଁ। ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲକ୍ଷ୍ନୌ ଆସିବାକୁ ବାରମ୍ବାର ଚାପ ପକାଉଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କମଲେଶ ତିୱାରୀ ହିନ୍ଦୁ ମହାସଭା ସହ ଜଡିତ ଏକ ରାଜନୀତିକ ଦଳ ହିନ୍ଦୁ ସମାଜ ପାର୍ଟି ପାଇଁ କାମ କରୁଥିଲେ। ଗତ ଶୁକ୍ରବାର ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗୁଜରାଟରୁ ୩ ଜଣଙ୍କୁ ଏବଂ ଉତ୍ତରପ୍ରଦେଶରୁ ୨ ଜଣଙ୍କୁ ପୋଲିସ ନିଜ ହେପାଜତକୁ ଆଣିଛି। ଏହି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଟିମ (ଏସଆଇଟି) ଗଠନ କରାଯାଇଛି।

Share