ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଦୋକାନ ଓ ଘର ଗୁଡ଼ିକ ସହ ସରକାରୀ କାର୍ଯ୍ୟାଳୟକୁ ଭଙ୍ଗାଯାଇଛି। ବିଶେଷ କରି ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଦୃଷ୍ଟିରେ ରଖି ୧୧, ୧୨, ୧୩ ତିନି ଦିନ ପାଇଁ ବଇଣ୍ଡା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି।
ଉକ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ମେ ୨୦୧୮ରେ ବଇଣ୍ଡା ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେହି ସମୟରେ ବଇଣ୍ଡାର ୮୦ ପ୍ରତିଶତ ଭଙ୍ଗାଯାଇଥିବାବେଳେ ୪ ଶହ ଉଠା ଦୋକାନୀ କ୍ଷତିଗ୍ରସ୍ତ ହୋଇ ଜୀବିକା ହରାଇଥିଲେ। ହେଲେ ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ଦିଆଯାଇ ନ ଥିବା ସହ ୨ କ୍ଷତିଗ୍ରସ୍ତ ପ୍ରଜାଙ୍କ କୋର୍ଟରେ ଜମିକୁ ନେଇ ମାମଲା ଥିବାବେଳେ ଏହାକୁ ଭଙ୍ଗାଯାଇ ପାରି ନ ଥିଲା। ପରବର୍ତ୍ତୀ ସମୟରେ ପୁଣି ଉଚ୍ଛେଦ ପାଇଁ ୧୧, ୧୨, ୧୩ ୩ ଦିନ ଧରି ଉଚ୍ଛେଦ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ବୁଧବାର ସକାଳେ ବାକି ରହିଥିବା ୧୭ କ୍ଷତିଗ୍ରସ୍ତ ପ୍ରଜାଙ୍କ ଗୃହ ଗୁଡ଼ିକ ଭଙ୍ଗାଯାଇଥିଲା। ଏପରିକି ୨ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜମି ବିବାଦକୁ ନେଇ ଆଠମଲ୍ଲିକ କୋର୍ଟ ଓ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏହାକୁ ଖାତିର ନ କରି ସକାଳ ୧୦ଟା ପରଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ଷତିଗ୍ରସ୍ତ ୪ ଶହ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅନେକ ଦୋକାନୀ ସେମାନଙ୍କ ଦୋକାନ ସାମଗ୍ରୀ ସ୍ଥାନାନ୍ତରିତ କରି ନ ଥିବାବେଳେ ତରବରିଆ ଭାବେ ଭଙ୍ଗାଯାଉଥିବା ଯୋଗୁ କେତେକ ଦୋକାନୀଙ୍କ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବଇଣ୍ଡାଠାରେ ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରି ଦୋକାନୀଙ୍କୁ ଥଇଥାନ କରିବା ପାଇଁ ବଇଣ୍ଡା ବ୍ୟବସାୟୀକ ସଂଘ ପକ୍ଷରୁ ଦାବି ହୋଇଛି। ଉଚ୍ଛେଦ ସମୟରେ ମାଜିଷ୍ଟେଟ ଭାବେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ, ଅନୁଗୋଳ ଭୂ-ଅର୍ଜନ ଅଧିକାରୀ ବସନ୍ତ କୁମାର ଦାସ, ଆଠମଲ୍ଲିକ ଏସ୍‌ଡିପିଓ ଶେଖ ଅବଦୁଲ କରିମ, ହଣ୍ଡପା ଆଇଆଇସି ଲବ ବୋଡା, କିଶୋରନଗର ଆଇଆଇସି ପ୍ରତିଭା ମାଝିଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।

Share