ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବନ ବିଭାଗ ଅଧୀନ ସମ୍ବଲପୁର ରେଞ୍ଜର ଡେପୁଟି ରେଞ୍ଜର ତଥା କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ତେରାଗାଁର ମୂଳ ବାସିନ୍ଦା ବଟକୃଷ୍ଣ ସେଠୀ(୫୯), ଭଟଲି ଗଢ଼ପଡ଼ାର ୨ ଭାଇ ଦୋଳଗୋବିନ୍ଦ ସାହୁ ଓରଫ ବାବୁଲୁ(୪୦) ଓ ବଳରାମ ସାହୁ(୨୪) । ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୬୫ ହଜାର, ୩ ମୋବାଇଲ ଓ ୨ ସ୍ପ୍ଲେଣ୍ଡର ବାଇକ୍‌ ଜବତ ହୋଇଛି । ଏ ନେଇ ଭଟଲି ଥାନା ପୋଲିସ କେସ (ନଂ. ୧୩୫/୧୯)ରେ ମାମଲା ରୁଜୁ କରିଛି ।
ଜିଲା ପୋଲିସ ମୁଖ୍ୟାଳୟରେ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସପି ମୁକେଶ କୁମାର ଭାମୁ ସୂଚନା ଦେଇ କହିଛନ୍ତି, ଧରାପଡ଼ିଥିବା ନକଲୀ ମାଓବାଦୀ ଗ୍ୟାଙ୍ଗ ୨୦୧୪ ମସିହାରୁ ଭଟଲି, ଅମ୍ବାଭୋନା ଅଞ୍ଚଳରେ ସରକାରୀ ଅଧିକାରୀ, ଠିକାଦାର ପ୍ରମୁଖଙ୍କୁ ହତ୍ୟା ଧମକ୍‌ ଦେଇ ଟଙ୍କା ଆଦାୟ କରି ଆସୁଥିଲେ । ତେବେ ଅଶୋକ ଦାଶ ନାମକ ଜଣେ ଠିକାଦାର ଶୁକ୍ରବାର ଭଟଲି ଥାନାରେ ଏତଲା ଦେବା ପରେ ପୋଲିସ ଏହାକୁ ଗୁରୁତ୍ୱର ସହିତ ନେଇ ତନାଘନା ଚଳାଇଥିଲା ଏବଂ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Share