ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ: ୩୦୦ ଗ୍ରାମ ବ୍ରାଉନସୁଗାର ଓ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କମିଶନରେଟ ପୋଲିସ ଜାଲରେ ବ୍ରାଉନସୁଗାର ଡିଲର ସନ୍ତୋଷ କୁମାର ପଣ୍ଡା। ୫ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନ୍‌ସୁଗାର ଯୋଗାଉଥିବା ସନ୍ତୋଷଙ୍କୁ ଖଣ୍ଡଗିରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୩ଶହ ଗ୍ରାମର ବ୍ରାଉନ୍‌ସୁଗାର, ନଗଦ ୨ଲକ୍ଷ ୧୪ ହଜାର ଟଙ୍କା, ୫ ମୋବାଇଲ ଫୋନ୍‌ ଓ ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ଖଣ୍ଡଗିରି ଥାନାରେ ତାଙ୍କ ନାମରେ ମାମଲା (ନଂ.୪୯୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ର଼୍ୟାକେଟ ସମ୍ପର୍କରେ ପଚରାଉଚରା କରାଯାଉଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପଚରାଉଚରାବେଳେ ମିଳିଥିବା ତଥ୍ୟ ଆଧାରରେ ଡିସିପି ସାହୁ କହିଛନ୍ତି, ସନ୍ତୋଷଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ। ସେ ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲାରେ ତାଙ୍କ ର଼୍ୟାକେଟ ବେଶ୍‌ ସକ୍ରିୟ ରହିଛି। ତାଙ୍କ ନାମରେ ପୂର୍ବରୁ ଆପରାଧିକ ମାମଲା ରହିଛି। ଖୋର୍ଦ୍ଧା ଥାନାରେ ରହିଥିବା ଏକ ହତ୍ୟା ମାମଲା (ନଂ. ୩୦୦/୧୧)ରେ ତାଙ୍କୁ ଦଣ୍ଡାଦେଶ ହୋଇଥିବାବେଳେ ୨୦୧୪ରେ ଜେଲରୁ ପାରୋଲରେ ଆସି ଫେରାର ହୋଇଯାଇଥବଲେ। ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ଖୋର୍ଦ୍ଧା, ଟାଙ୍କୀ ଓ ବଳଙ୍ଗା ଥାନାରେ ତାଙ୍କ ନାମରେ ୬ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଥିବାବେଳେ ସେ ପୋଲିସ ଟାର୍ଗେଟରେ ଥିଲେ। ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବ୍ୟାପୁଥିବା ଡ୍ରଗ୍ସ କାରବାର ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ ମାସ ଧରି ସ୍ବତନ୍ତ୍ର ଚଢାଉ ଆରମ୍ଭ ହୋଇଥିଲା। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖୁଚୁରା ବେପାରିଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେମାନଙ୍କଠାରୁ ସନ୍ତୋଷଙ୍କ ବ୍ରାଉନସୁଗାର ସାମ୍ରାଜ୍ୟ ସମ୍ପର୍କରେ ସୁରାକ ପାଇଥିଲା ପୋଲିସ। ଟିକିନିଖି ତଥ୍ୟ ହାସଲ କରିବା ପରେ ସନ୍ତୋଷଙ୍କ ଉପରେ ପୂରା ନଜର ରଖାଯିବା ସହ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ସେ ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗରସ୍ଥିତ ବଗ ପାର୍କ ନିକଟରେ ଖୁଚୁରା ବେପାରିଙ୍କୁ ବ୍ରାଉନ୍‌ସୁଗାର ବିିକ୍ରି କରିବାର ଆଗୁଆ ସୂଚନା ପାଇ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସେଠାରେ ଜଗି ରହିଥିଲା। ସନ୍ତୋଷ ବ୍ରାଉନସୁଗାର ଧରି ବାଇକ୍‌ରେ ପହଞ୍ଚତ୍ବା ମାତ୍ରେ ତାଙ୍କୁ କାବୁ କରି ନିଆଯାଇଥିଲା। ବୁଧବାର ଅଭିଯୁକ୍ତ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ସାହୁ କହିଛନ୍ତି।

Share