ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ: ମାରଣାସ୍ତ୍ର ଜବତ, ୨ ଗିରଫ

ବସ୍ତା, ୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବସ୍ତା ବାଇପାସ୍‌ ନିକଟ ଏକ ବ୍ରିଜ୍‌ଠାରେ ମଙ୍ଗଳବାର ରାତିରେ ପୋଲିସ ଚଢ଼ାଉ କରି ଏକ ଲୁଟେରା ଗ୍ୟାଙ୍ଗ ଠାବ କରିଛି। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଦୁଇ ଲୁଟେରା ହେଲେ ଏହି ଥାନା ଅନ୍ତର୍ଗତ ସାମରାଇପୁର ଗ୍ରାମର ଅନାମ ଓରଫ ଦେବାଶିଷ ଜେନା ଏବଂ ଉଇଟିକିରି ଗ୍ରାମର ବଣ୍ଟି ଓରଫ ସ୍ବାଭିମାନ ସାଗରଜ୍ୟୋତି ଜେନା। ସେମାନଙ୍କଠାରୁ ଏକ ଚୋରି ବାଇକ୍‌ ସହ ତେଲେଙ୍ଗା କଟୁରୀ, ଲୁହାରଡ଼, ଛୁରୀ, ଭୁଜାଲି ଆଦି ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ଥାନାରେ ଧାରା ୩୯୯, ୪୦୨ ଆଇପିସି/୨୫ ଆର୍ମ୍‌ସ ଆକ୍ଟରେ ଏକ ମାମଲା(ନଂ. ୪୫୦/୧୯) ରୁଜୁ କରାଯାଇ ଗିରଫ ଅନାମ ଓ ବଣ୍ଟିଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସଠାରୁ ସୂଚନା ମିଳିଛି।
ଉକ୍ତ ବ୍ରିଜ୍‌ଠାରେ ଗ୍ୟାଙ୍ଗର ୬ ଜଣ ଯୁବକ ରାତିରେ ଏକ ଜୁଏଲାରୀ ଦୋକାନରୁ ଡକାୟତି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସେଠାରେ ଅତର୍କିତ ଚଢ଼ାଉ କରି ଅନାମ ଓ ବଣ୍ଟିଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା। ଅନ୍ୟ ୪ଜଣ ସେଠାରୁ ଚମ୍ପଟ ମାରିଥିଲେ। ଏହି ଗ୍ୟାଙ୍ଗ ଜିଲାରେ ବିଭିନ୍ନ ଲୁଟ୍‌, ଛିନ୍‌ତାଇ, ରାହାଜାନୀ, ଡକାୟତି ଓ ବାଇକ୍‌ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବସ୍ତା ଥାନାରେ ୫ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଜିଲାର ଅନ୍ୟ ଥାନାରେ ମଧ୍ୟ ଗିରଫ ଓ ଫେରାର ଅଭିଯୁକ୍ତଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଯାଇଛି।

Share