ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ)/ କଟକ ଅଫିସ: ପୋଲିସ ଡିଜି ସମେତ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଥିବା ବିଜୟ କୁମାର ଶର୍ମାଙ୍କୁ ବଦଳି ପରେ ୧୯୮୬ ବ୍ୟାଚ୍‌ର ଓଡିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଥିବା ଅଭୟ ୭ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ। ତେଣୁ ଅନ୍ତରୀଣ ଡିଜିପି ଭାବେ ସତ୍ୟଜିତ୍‌ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଛି। ଏଥିସହ ତାଙ୍କୁ ଗୋଇନ୍ଦା ଡିଜି ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଗୁରୁବାର ସତ୍ୟଜିତ ବିଧିବଦ୍ଧ ଭାବେ ଦୁଇ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବାହ୍ନ ୧୦ଟାରେ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ସରକାର ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି। ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିବି।
ଏହାପରେ ସତ୍ୟଜିତ ମହାନ୍ତି ଭୁବନେଶ୍ୱରସ୍ଥିତ ରାଜ୍ୟ ଗୋଇନ୍ଦା ବିଭାଗ କାର୍ଯ୍ୟାଳୟରେ ପହଞ୍ଚତ୍ ଦାୟିତ୍ୱ ଗ୍ରହଣ କରିଥିଲେ। ସେ କହିଲେ, ପୋଲିସ ବିଭାଗରେ ଯେଉଁ ସମ୍ବଳ ଓ ଲୋକବଳ ଅଛି, ତାହାକୁ ସାଥିରେ ନେଇ କାମ କରିବି। ବିଶେଷକରି ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ପଦେକ୍ଷପ ନିଆଯିବ। ମାଓବାଦୀ ଦମନରେ ଓଡ଼ିଶାର ସୁନାମ ବଜାୟ ରହିବ। ମାଓବାଦୀ ପ୍ରଭାବିତ ରାଜ୍ୟଗୁଡିକ ମଧ୍ୟରେ ସମନ୍ବୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ। ଗୋଇନ୍ଦା ତଥ୍ୟ ବିନିମୟକୁ ଅଧିକ କ୍ରିୟାଶୀଳ କରାଯିବ।
ଜେଲ ବିଭାଗ ଡିଜି ଥିବାବେଳେ କିଛି କାର୍ଯ୍ୟ ରହିଛି କି ପ୍ରଶ୍ନରେ ସେ କହିଲେ, ରାଜ୍ୟର ଜେଲରେ ରହୁଥିବା କଏଦୀମାନେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରୁହନ୍ତୁ। ସେମାନେ ଜେଲରୁ ବାହାରିବା ପରେ ସ୍ବାବଲମ୍ବୀ ହୋଇପାରିବେ। ସେଥିପାଇଁ ଜେଲରେ ଇ-ପ୍ରିଜମ୍‌ ବ୍ୟବସ୍ଥା ଏବଂ ମନୋରଞ୍ଜନ ପାଇଁ ପଦକ୍ଷେପର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ପୋଲିସ ଡିଜିଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍‌ ଅଭୟ କହିଛନ୍ତି, ସରକାର ତାଙ୍କୁ ଡିଜିପି ଭାବେ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି, ତାହାକୁ ଠିକ୍‌ ଭାବେ ପାଳନ କରିବେ। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି।

Share