Categories: ଗଞ୍ଜାମ

ପୋଲିସ ପରିଚୟ ଦେଇ ଲୁଟିନେଲେ ସୁନାଚେନ, ମୁଦି

ବ୍ରହ୍ମପୁର ଅଫିସ,୬ା୭-ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କଠାରୁ ସୁନାଗହଣା ଲୁଟି ନେଉଛନ୍ତି। ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ। ନକଲି ପୋଲିସ ଏବେ ଅସଲକୁ ଖୋଲା ଚ୍ୟାଲେଞ୍ଜ ଦେଇ ତାଙ୍କ ମନ୍ଦ ଉଦ୍ଦେଶ୍ୟ ସଫଳ କରି ଚାଲିଛନ୍ତି। ଗୁରୁବାର ଏଭଳି ଏକ ଘଟଣା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଛି। ପୋଲିସ ପରିଚୟ ଦେଇ ଲୁଟେରାମାନେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସୁନାଚେନ ଓ ମୁଦି ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ପଣ୍ଡା ଏ ନେଇ ଗୋଷାଣି ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୬୯/୧୯ରେ ଏକ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ଼ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ପଣ୍ଡା ଗୁରୁବାର ଅପରାହ୍ନରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ ବାଇକରେ ୨ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ନିଜକୁ ପୋଲିସ ପରିଚୟ ଦେଇଥିଲେ। ଚେନ, ମୁଦି କାହିଁକି ପିନ୍ଧିଛ କହି ସେଗୁଡିକୁ ବାହାର କରିବାକୁ ତାଙ୍କୁ କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଜଣକ ଚେନ , ମୁଦି କାଢ଼ିବା ପରେ ନକଲି ପୋଲିସ ତାହା ଧରି ଚମ୍ପଟ ମାରିଥିଲେ।
କିଛିଦିନ ପୂର୍ବରୁ ଟାଉନା ଥାନା ଅନ୍ତର୍ଗତ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ନିକଟରୁ ନକଲି ପୋଲିସ ଭାଜପା ନେତା କାମନା ପାଢୀଙ୍କ ସ୍ତ୍ରୀଙ୍କୁ ଭୟଭୀତ କରି ୧୫ ଭରି ଗହଣା ନେଇ ଯାଇଥିଲେ। ସେହିପରି ଫେବୃୟାରୀ ୧୦ରେ ଭୁବନେଶ୍ୱରରୁ ଆସିଥିବା ଏକ ବୃଦ୍ଧ ଦମ୍ପତି ବ୍ରହ୍ମପୁର ଆସିଥିଲେ। ପୂର୍ବାହ୍ନ ୧୧ଟା ବେଳେ ସେମାନେ ଚାଲି ଚାଲି ଯାଉଥିବା ବେଳେ ଜୟପ୍ରକାଶ ନଗର ଛକରେ ୨ ଜଣ ଯୁବକ ସେଠାରେ ପହଞ୍ଚି ନିଜକୁ ସିବିଆଇ ଅଫିସର କହି ମହିଳାଙ୍କ ୮ ଭରି ଗହଣା ଧରି ଚମ୍ପଟ ମାରିଥିଲେ । ଏନେଇ ସେମାନେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ସେହିପରି ଫେବୃୟାରୀ ୨୪ରେ ନକଲି ପୋଲିସ ବଡବଜାର ଥାନା ଅନ୍ତର୍ଗତ ଖାସ୍ପା ସାହି ଦେଇ ବଜାରକୁ ଯାଉଥିବା ଜଣେ ବୃଦ୍ଧା ପାର୍ବତୀ ବେହେରାଙ୍କୁ ସୁନାଗହଣା କାହିଁକି ପିନ୍ଧିଛ କହି ଭୟଭୀତ କରି ସେ ପିନ୍ଧିଥିବା ୭ ଭରି ଗହଣା ଲୁଟି ନେଇଥିଲେ ।
ପୋଲିସ ସିସି ଟିଭି ଫୁଟେଜ ମଧ୍ୟ ପାଇଛି। କିନ୍ତୁ ସେଥିରେ ଲୁଟେରାଙ୍କ ଚେହେରା ସ୍ପଷ୍ଟ ହେଉନାହିଁ। ଏସବୁ ଲୁଟ ଘଟଣାରେ ଓଡିଶାର ଲୁଟେରା ସାମିଲ ଅଛନ୍ତି ନା ପଡୋଶୀ ରାଜ୍ୟର ଲୁଟେରା ଏଭଳି କାଣ୍ଡ ଘଟାଉଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଘଟଣା ପଛରେ ଏକ ନିର୍ଦ୍ଦିଷ୍ଟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।