ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ରାତିଦିନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି। ଏଭଳି ପରିସ୍ଥିତିରେ ମୟୂରଭଞ୍ଜ ଜିଲାର ୩ଜଣ ଯୁବକ ଏକ କାର୍‌(ନଂ. ଓଡ଼ି୦୧ସି-୭୫୨୩)ରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳକୁ ଆସି ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ମାର୍‌ପିଟ୍‌ କରିଥିବା ନଜରକୁ ଆସିଛି। ସେମାନେ ଖାଦ୍ୟସାମଗ୍ରୀ ଦେବା ଆଳରେ ମାଡ଼ ମାରି ଚମ୍ପଟ ହେବା ବେଳେ ଲୋକଙ୍କ ହାତରେ ଧରାପଡ଼ି ଉତ୍ତମମଧ୍ୟମ ଖାଇଛନ୍ତି। ଏହାପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଏକ ମାମଲା (ନଂ. ୩୬/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର୍‌କୁ ଜବତ କରିଛି। ଗିରଫ ଯୁବକମାନେ ହେଲେ ବୈଶିଙ୍ଗା ଥାନା ଅଁଳା ଗ୍ରାମର ଫାର୍ମାସିଷ୍ଟ ସପନ ସାନ୍ତରା, ରଙ୍ଗଡ଼ା ଗ୍ରାମର ଗଣେଶ୍ୱର ବାରିକ ଓ ସଞ୍ଜୟ ମାହାନ୍ନା।
ଅଭିଯୁକ୍ତମାନେ କାର୍‌ ସମ୍ମୁଖରେ ‘ପାଗଳ ମାନଙ୍କ ପାଇଁ ଭାତଡାଲମା’ ପୋଷ୍ଟର ମାରି ମଙ୍ଗଳବାର ରୂପ୍‌ସା ଥାନା ବାରାପାଳ ରେଳଫାଟକ ଦେଇ ୬୦ନଂ. ଜାତୀୟ ରାଜପଥ ଅଭିମୁଖେ ଯାଉଥିଲେ। ସେମାନେ ଫାଟକ ନିକଟରେ ଓହ୍ଲାଇ ପୋଲିସ ପରିଚୟ ଦେଇ ଲକ୍‌ଡାଉନ ବେଳେ ବାହାରେ କାହିଁକି ବୁଲୁଛ କହି ୨ଜଣ ଯୁବକଙ୍କୁ ମାଡ଼ ମାରି ପଳାଇଥିଲେ। କିଛି ସମୟ ପରେ କାର୍‌ ସେହି ରାସ୍ତା ଦେଇ ଫେରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୋଲିସ୍‌ଙ୍କୁ ଖବର ଦେଇଥିଲେ। ଆଇଆଇସି ବିଶ୍ୱଜ କୁମାର ରାଉତରାୟ, ଏଏସ୍‌ଆଇ ନରହରି ମହାଳିକ ସଦଳବଳେ ପହଞ୍ଚତ୍ ସେମାନଙ୍କୁ ପୋଲିସ ହେପାଜତକୁ ନେଇଥିଲେ। କାର୍‌ ଭିତରୁ ମୁଢ଼ି ବସ୍ତା, ଆଳୁ, ବାଇଗଣ ଆଦି ରହିଥିଲା। ଏ ସଂକ୍ରାନ୍ତରେ ତଦନ୍ତ କରାଯାଇ ଭାରତୀୟ ଦଣ୍ଡବିଧି ଆଇନ୍‌ର ୨୯୪, ୩୪୧, ୨୨୩, ୧୮୮, ୨୬୯, ୨୭୦, ୪୧୭, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ ହୋଇ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛିି।

 

Share