Categories: ଜାତୀୟ

ପୋଲିସ-ପ୍ରବାସୀ ଶ୍ରମିକ ମୁହାଁମୁହିଁ

ଅହମଦାବାଦ,୧୮।୫: ଥମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ବେଳେ ଏବେବି ଆହୁରି ଅନେକ ବାହାର ରାଜ୍ୟରେ ରହିଯାଇଥିବା ବେଳେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇ ପଡିଲେଣି। ସୋମବାର ଗୁଜରାଟ ଅହମଦାବଦରେ ଘରକୁ ଫେରିବାକୁ ଅପେକ୍ଷା ରଖିଥିବା ଏହି ପ୍ରବାସୀମାନେ ଧୈର୍ଯ୍ୟହରା ହୋଇ ପୋଲିସ ସହ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଏମାନେ ପୋଲିସ ଉପରକୁ ପଥରମାଡ କରିବା ସହ ପୋଲିସର ୨ଟି ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିରେ ୨ ପୋଲିସ ଆହତ ମଧ୍ୟ ହୋଇଛନ୍ତି। ନିଜ ରାଜ୍ୟକୁ ଫେରାଇ ଦିଆଯିବା ଦାବି କରି ଏମାନେ ତୁମୁଳକାଣ୍ଡ ଘଟାଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଓ ପ୍ରାୟ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ୍‌ ଓ ବସ୍‌ ଯୋଗେ ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ଏବେବି ଘରକୁ ଫେରିବାକୁ ଅନେକ ପ୍ରବାସୀ ଚାତକ ଭଳି ଚାହିଁ ରହିଛନ୍ତି।

Share