ପୋଲିସ ବିଭାଗରେ ୧୦,୦୫୪ ପଦବୀ ଖାଲି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରିଥାଏ। ସେହିଭଳି ଜାତୀୟ ସମ୍ପତ୍ତି ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଆପରାଧିକ ଅନୁସନ୍ଧାନ, ସମସ୍ତ ପ୍ରକାର ନିର୍ବାଚନ ପରିଚାଳନା ମଧ୍ୟ ପୋଲିସ ପ୍ରଶାସନ ଦ୍ୱାରା କରାଯାଇଥାଏ। ଜନସଂଖ୍ୟା ଏବଂ କ୍ଷେତ୍ରଫଳକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନକୁ ନିୟୋଜିତ କରାଯାଇଥାଏ। ହେଲେ ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବା ପୋଲିସ ପ୍ରଶାସନରେ ସଂଖ୍ୟାଧିକ ପଦବୀ ଖାଲିପଡିଛି। ଓଡ଼ିଶା ବିଧାନସଭାରେ ଗୃହ ବିଭାଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଦାନ କରାଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।
ରାଜ୍ୟ ପୋଲିସ ପ୍ରଶାସନରେ ୧୦,୦୫୪ ପଦବୀ ଖାଲିପଡିଛି। ପୋଲିସ ବିଭାଗର ବର୍ଗ ‘କ’, ‘ଖ’, ‘ଗ’ ଏବଂ ‘ଘ’ରେ ଏହି ଖାଲି ପଦବୀ ରହିଛି। ‘କ’ ବର୍ଗରେ ୧୧୪୦ ଅନୁମୋଦିତ ପଦବୀରୁ ୫୦୧ ପଦବୀ ଖାଲି, ‘ଖ’ରେ ୬୫୯୪ରୁ ୧୮୨୩, ‘ଗ’ରେ ୬୪୮୭ ଏବଂ ‘ଘ’ ବର୍ଗରେ ୧୨୪୩ଟି ପଦବୀ ଖାଲିପଡିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଣତାରକା ପ୍ରଶ୍ନ ନଂ. ୯୬୦ର ଉତ୍ତର ଦେଇ ଗୃହ(ରାଷ୍ଟ୍ର) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ଏହି ସୂଚନା ପ୍ରଦାନ କରିଛନ୍ତି। ପୋଲିସ ବିଭାଗରେ ମଞ୍ଜୁରୀ ପ୍ରାପ୍ତ ପଦବୀ(୭୨,୧୧୯)ର ୧୪ ପ୍ରତିଶତ ପଦବୀ ଖାଲିପଡିଛି। ଗତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ବିଭାଗୀୟ ତଥ୍ୟ ଆଧାରରେ ଏହି ସୂଚନା ଦିଆଯାଇଥିବା ଜଣାପଡିଛି। ସେହିପରି ବର୍ଗୱାରି ଖାଲିଥିବା ଏହି ପଦବୀ କେବେ ପୂରଣ ହେବ ବୋଲି ମଧ୍ୟ ନରସିଂହଙ୍କ ଦ୍ୱାରା ପଚରାଯାଇଛି। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦିଆଯାଇନାହିଁ। ଖାଲିଥିବା ପଦବୀ ପୂରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ(ପଦୋନ୍ନତି ଏବଂ ନିଯୁକ୍ତି) କରାଯିବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପୋଲିସ ପ୍ରଶାସନରେ କେବଳ ତୃଣମୂଳସ୍ତରରେ ପଦବୀ ଖାଲିନାହିଁ। ରାଜ୍ୟ ପୋଲିସ ପ୍ରଶାସନର ଶୀର୍ଷସ୍ତରୀୟ ଅଧିକାରୀ(ଆଇପିଏସ୍‌) ପଦବୀ ମଧ୍ୟ ଖାଲିପଡିଛି। କଂଗ୍ରେସ ବିଧାୟକ ଦଳ ସଚେତକ ତାରାପ୍ରସାଦ ବାହିନୀପତି ଏ ସଂକ୍ରାନ୍ତରେ ପଚାରିଥିବା ଏ ପ୍ରଶ୍ନରେ ଦିଆଯାଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ମୋଟ ମଞ୍ଜୁରୀ ପ୍ରାପ୍ତ ୧୯୫ ପଦବୀ ମଧ୍ୟରୁ ୭୮ଟି ପଦବୀ ଖାଲିପଡିଛି। ଗତ ଡିସେମ୍ବର ୧୯ରେ ରାଜ୍ୟ ଆଇପିଏସ୍‌ କ୍ୟାଡରରେ ଅଫିସର ସଂଖ୍ୟା ୧୮୮ରୁ ୧୯୫କୁ ବୃଦ୍ଧି ପାଇଥିବା ଜଣାପଡିଛି। ସେହିପରି ୨୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି, ତନ୍ମଧ୍ୟରୁ ୩ ଅଧିକାରୀ ଦୀର୍ଘ ୧୨ ବର୍ଷ କାଳ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Share