Categories: ଜାତୀୟ

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ସେଣ୍ଟ୍ରାଲ ଆଭେନ୍ୟୁରୁ ଶୋଭାଯାତ୍ରାରେ ବାହାରି କୋଲକାତା ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟକୁ ଘେରାଉ କରିବାକୁ ଯାଉଥିଲାବେଳେ ପୋଲିସ ସେମାନଙ୍କୁ ବାଧାଦେବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ର଼୍ୟାଲିକୁ ଅଟକାଇବା ପାଇଁ ପୋଲିସ ଚାନ୍ଦନୀ ଚୌକ ମେଟ୍ରୋ ଷ୍ଟେଶନଠାରେ ବାରିକେଡ୍‌ କରିଥିଲା। ପୋଲିସ ପ୍ରଥମେ ଭାଜପା କର୍ମୀମାନଙ୍କୁ ଫେରିଯିବା ପାଇଁ କହିଥିଲା। ସେମାନେ ଫେରିବା ବଦଳରେ ପୋଲିସ ଉପରକୁ ଢେଲା ଓ ପାଣି ବୋତଲ ମାଡ଼ କରିଥିଲେ। ଫଳରେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ସଂଘର୍ଷ ବେଳେ କେତେଜଣ ଭାଜପା କର୍ମୀଙ୍କୁ ପୋଲିସ ଅଟକ ରଖିଛି।
କୋଲକାତା ଓ ଏହାର ଆଖପାଖ ଅଞ୍ଚଳରୁ ୪୪,୮୫୨ଟି ଡେଙ୍ଗୁ ଚିକିତ୍ସିତ ହୋଇଥିବା ବେଳେ ଜାନୁୟାରୀରୁ ଇତିମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରେ ପ୍ରକାଶ ପାଇଥିଲା। ଡେଙ୍ଗୁ ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିଲା।

Share