ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି, ୧୪।୯(ଡି.ଏନ୍‌.ଏ.: ମାଲକାନଗିରି ସୀମାରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଛତିଶଗଡ଼ର ଦନ୍ତଓ୍ବୋଡ଼ା ଜିଲାରେ ଥିବା କୁଟ୍ରିମା ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ। ସେଠାରେ ଆତ୍ମଗୋପନ କରିଥିବା କିଛି ମାଓବାଦୀ ପୋଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ପୋଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଗୁଳିରେ ୨ ମାଓବାଦୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଏଲ୍‌ଓସି କମାଣ୍ଡର ଲଛୁ ମାଣ୍ଡଓ୍ବି ଏବଂ ଜନ ମଲିସିଆ କମାଣ୍ଡର ପଦିଆ । ଉଭୟଙ୍କ ନାମରେ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଥିଲେ। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।