Categories: ଜାତୀୟ

ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର

ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍‌କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ନେଇ ପ୍ରଥମେ ଫାଇରିଂ କରିଥିଲେ। କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ପୋଲିସକୁ ପଥର ମାଡ କରିବା ସହ ସେଠାରେ ଥିବା ବାଡି ଓ ଅନ୍ୟ ଉପକରଣ ମାଧ୍ୟମରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଶେଷରେ ପୋଲିସ ବାଧ୍ୟ ହୋଇ ଏନ୍‌କାଉଣ୍ଟର କରିଥିଲା। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୭ରେ ହାଇଦ୍ରାବାଦରେ ଜଣେ ମହିଳା ଭେଟରିନାରୀ ଡାକ୍ତରଙ୍କୁ ବଳାତ୍କାର କରିବା ପରେ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏଟ୍‌ କରିବାର ଯୋଜନା ରଖିଥିଲା। ହେଲେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ପାଲଟା ଆକ୍ରମଣ କରି ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟରରେ ସମସ୍ତ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ଖବର ପାଇବା ପରେ ସାରା ଦେଶରେ ଲୋକେ ଖୁସି ମନାଇଥିଲେ।

Share