ପୋଲିସ ହାତରେ ମହିଳା ଦଲାଲ :ବିଜୁ ପକ୍କା ଘର ଓ ଋଣ କରାଇଦେବା କହି ଠକୁଥିଲେ

ନୟାଗଡ଼ ଅଫିସ,୨୦ା୧୦: ଜିଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କୁ ଠକୁଥିବା ଜଣେ ମହିଳା ଦଲାଲ୍‌ଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଇଟାମାଟି ଥାନା ବାଲିକୁଦା ଗ୍ରାମର ବାସନ୍ତୀ ଘଡ଼େଇ (୫୪)। ଥାନାରୁ ମିଳିଥିବା ସୂଚନା ଅନୁସାରେ ବାସନ୍ତୀ ଓଡ଼ଗାଁ ଥାନା ଗୁମୀ ଗ୍ରାମର ରୁନୁ ଡାକୁଆଙ୍କ ନାମରେ ବିଜୁ ପକ୍କା ଘର, ରାଶନ କାର୍ଡ଼ ଓ ୬ ଲକ୍ଷ ଟଙ୍କାର କାଜୁ ଋଣ କରାଇଦେବା ପାଇଁ ତାଙ୍କଠାରୁ କିଛି ମାସ ତଳେ ୩୦ ହଜାର ଟଙ୍କା ଆଣିଥିଲେ। କୌଣସି ସହାୟତା ନ ମିଳିବାରୁ ରୁନୁ ଟଙ୍କା ମାଗିବାରୁ ବାସନ୍ତୀ ତାଙ୍କୁ ଧମକାଇଥିଲେ। ଏ ନେଇ ରୁନୁ ଜିଲାପାଳ ଓ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ବାସନ୍ତୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୧୫୦/୧୯) ରୁଜୁ କରାଯାଇ ବାସନ୍ତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ବାସନ୍ତୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କଠାରୁ ବିଭିନ୍ନ ଯୋଜନାରେ ସାମିଲ କରାଇଦେବା ପାଇଁ ଟଙ୍କା ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ପୋଲିସ ଉପସ୍ଥିତିରେ ବାସନ୍ତୀ ତାଙ୍କ ଟଙ୍କା ଫେରାଇଥିଲେ। ସୂଚନାଯୋଗ୍ୟ ୨୯ ସେପ୍ଟେମ୍ବରରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡ଼ା ଓରଫ ନୀଳଙ୍କୁ ଟାଉନ ପୋଲିସ ଗିରଫ କରିଥିଲା। ନୀଳ ଜଣେ ରୋଗୀଙ୍କୁ ବାହାରେ ଡାକ୍ତର ଦେଖାଇଦେବା ପାଇଁ ୫୦୦ ଟଙ୍କା ନେଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ।

Share