ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନ୍‌ଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ,୨ା୧୦- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ରବିବାର ଚମ୍ପଟ ମାରିଥିଲେ। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ୨ କନ୍‌ଷ୍ଟେବଳଙ୍କୁ ଜିଲା ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ପରମାର ସ୍ମିଥ ପୁରୁଷୋତ୍ତମଦାସ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଡିଓ ନଂ.୨୦୨୭(୩୦ା୯ା୨୦୧୯)ରେ ଏସ୍‌ପି ଏହି ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବିତ କନ୍‌ଷ୍ଟେବଳ ଦ୍ୱୟ ହେଲେ ଚିନ୍ମୟ ସାହୁ ଓ ମନ୍ଦାକିନୀ ବେହେରା।
ସୂଚନା ଅନୁଯାୟୀ,ବାରିପଦା ଟାଉନ ଥାନା ମାମଲା (ନଂ.୨୪୦/୧୯) ରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ସବୁବେଳେ ଗହଳି ଲାଗି ରହୁଥିବା ଥାନାର କର୍ମଚାରୀ ଓ ଅଧିକାରୀଙ୍କୁ ଚକମା ଦେଖାଇ ରବିବାର ଅପରାହ୍ନ ୨ ଟା ବେଳେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ପୋଲିସ ହେପାଜତରୁ ଖସି ପଳାଇଥିଲେ। କଡ଼ାସୁରକ୍ଷା ବଳୟରେ ତାଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ କିପରି ସେ ଖସିଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।