Categories: ଗଞ୍ଜାମ

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍‌ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି ।
ସେ ହେଲେ ମହମ୍ମଦ ଇମରାନ। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ସମ୍ପୃକ୍ତ ଥିବା ବେଳେ ତାଙ୍କୁ ସଦର ଥାନାରେ ଅଟକ ରଖାଯାଇଥିଲା। ଥାନାରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ସେ କିପରି ଖସି ପଳାଇଲେ ତାହା ଏବେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘଟଣା ଜଣାପଡ଼ିବା ପରେ ମହମ୍ମଦଙ୍କ ନଁାରେ ଥାନାରୁ ଚମ୍ପଟ ମାରିବା ଅଭିଯୋଗରେ ବୁଧବାର ଆଉଏକ ମାମଲା ରୁଜୁ କରିଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧୭ ତାରିଖ ରାତିରେ ସଦର ଥାନା ବ୍ୟାଙ୍କ କଲୋନୀରେ ଜଣେ ଅଟୋ ଡ୍ରାଇଭର କେଦାର ଗନ୍ତାୟତଙ୍କୁ ମହମ୍ମଦ ଇମରାନ ଓ ତାଙ୍କର ଜଣେ ସହଯୋଗୀ ଟୁଟୁ ନାୟକ ଲୁହାରଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ନଂ. ୧୨୧/୧୯ରେ ମାମଲା ରୁଜୁ କରି ଗତ ୧୮ରେ ଟୁଟୁଙ୍କୁ କୋର୍ଟଚାଲାଣ କରିଥିଲା। ଇମରାନ ଫେରାର ଥିବା ବେଳେ ଟାଉନ ଥାନା ପୋଲିସ ତାଙ୍କୁ ମଙ୍ଗଳବାର ରାତିରେ ଧରିଆଣି ଥାନାରେ ଅଟକ ରଖିଥିଲା। ଇମରାନଙ୍କୁ ବୁଧବାର ସଦର ଥାନାକୁ ହସ୍ତାନ୍ତର କରିବା ପୂର୍ବରୁ ସେ ଚମ୍ପଟ ମାରିଛନ୍ତିି । ଅନ୍ୟପଟେ ଘଟଣା ବେଳେ ଥାନାରେ ଦାୟିତ୍ୱରେ ଥିବା ସେଣ୍ଟ୍ରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ସେନେଇ ପୋଲିସ ସୂଚନା ଦେଇନାହିଁ ।