Categories: ରାୟଗଡା

ପୋଲ ତଳୁ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ମୁନିଗୁଡ଼ା,୨୦ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ବଂଶଧାରା ନଦୀ ପୋଲ ତଳୁ ସୋମବାର ସକାଳେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ମୁନିଗୁଡ଼ା ବ୍ଲକ ସମଦଳା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ପ୍ରକାଶ ଯେ, ସୋମବାର ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା କିଛି ଲୋକ ବାଇକ ସହ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏସ୍‌ଆଇ ସୁକାନ୍ତ ପ୍ରଧାନ, କନଷ୍ଟେବଳ ନିରଞ୍ଜନ ଦାସ, ଖଗପତି ଦେହୁରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି। କେହି ରାମଚନ୍ଦ୍ରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ମୃତକଙ୍କ ଭାଇ ମୁନିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା ପ୍ରକାଶ କରିଛନ୍ତି।