ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ ସ୍ବାଇଁ ଓ ମନୋଜ ସ୍ବାଇଁଙ୍କ ଘରେ। ଶୁକ୍ରବାର ଅପରାହ୍ନରେ ହଠାତ୍‌ ପୋଷା କୁକୁର ଦୁଇଟି ବାରମ୍ବାର ଭୁକିବା ଶବ୍ଦ ଶୁଭିଲା। କେହି ଆସିଥିବା ଅନୁମାନ କରି ଘର ଭିତରୁ ପରିବାର ଲୋକେ ବାହାରି ଆସିଲେ। ଘର ସମ୍ମୁଖ କୋଠରି ଦ୍ୱାର ନିକଟରେ ୪ ଫୁଟ ଲମ୍ବର ଏକ ନାଗସାପ ଫଣା ଟେକି ରହିଥିବା ଦେଖିବାକୁ ପାଇଥିଲେ। ସମସ୍ତେ ଭୟଭୀତ ହୋଇପଡିଥିଲେ। ଦୁଇ ପୋଷା କୁକୁର ସେରା ଓ ସାରା ସାପ ଆଗରେ ଛିଡା ହୋଇ ଭୁକିବା ସହ ଘର ଭିତରକୁ ଛାଡୁ ନ ଥାନ୍ତି। ମନୋଜ ଓ ସରୋଜଙ୍କ ପରିବାର ସଦସ୍ୟ ଦୁଇ ପୋଷା କୁକୁର ସେରା ଓ ସାରାଙ୍କୁ ପାଟି କଲେ ମଧ୍ୟ ସାପ ଆଗରୁ ହଟୁ ନ ଥାନ୍ତି। କୁକୁରମାନଙ୍କ ପ୍ରତିରୋଧ ଯୋଗୁ ସାପଟି ଘର ପରିସରର ପାଚେରି ପାଖକୁ ପଳାଇଥିଲା। ହେଲେ ସେରା ଓ ସାରା ତାଙ୍କୁ ଛାଡୁ ନ ଥାନ୍ତି। ଶେଷରେ କୁକୁର ଦୁଇଟି ସାପଟିକୁ ଖିନ୍‌ଭିନ୍‌ କରି ମାରି ଦେଇଥିଲେ। ତେବେ ଦୁଇ କୁକୁରଙ୍କର କୌଣସି କ୍ଷତି ହୋଇ ନ ଥିଲା। ସେରା ଓ ସାରାଙ୍କ ଯୋଗୁ ପରିବାର ଲୋକଙ୍କ କୌଣସି କ୍ଷତି ହୋଇ ନ ଥିବା ମନୋଜ କହିଛନ୍ତି।

Share