ପୋଷା ପ୍ରାଣୀ ବି ମନୁଷ୍ୟକୁ ରଖିଥାନ୍ତିି ସୁସ୍ଥ !

ଓ୍ବାଶିଂଟନ,୮।୩ : କେତେକ ଲୋକଙ୍କର ଘରେ ପୋଷା ପ୍ରାଣୀ ପାଳିବା ସଉକ ରହିଥାଏ। କେହିକେହି କୁକୁର, ବିଲେଇ, ଠେକୁଆ, ଶୁଆ, କଇଁଛ ଆଦି ପ୍ରାଣୀ ଘରେ ପାଳିଥାନ୍ତି। ତେବେ ଏହାଦ୍ୱାରା ମନୁଷ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ପୋଷା ପ୍ରାଣୀ ରଖିଲେ ମନ ଆନନ୍ଦିତ ରହିବା ସହିତ ଶରୀର ବି ସୁସ୍ଥ ରହିଥାଏ। କିଛି ସମୟ ପୋଷା ପ୍ରାଣୀଙ୍କ ସହିତ ଖେଳିଲେ ଶରୀରରେ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରୋଟୋନି ଏବଂ ଏଣ୍ଡୋରଫିନ୍‌ ହରମୋନ୍‌ କ୍ଷରଣ ବୃଦ୍ଧି ପାଇଥାଏ। ଫଳରେ ମନରେ ଖୁସିଜାତ ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୁଏ। ଏହା ଦ୍ୱାରା ହାର୍ଟ ଆଟାକ୍‌, ବ୍ରେନ୍‌ ଷ୍ଟ୍ରୋକ୍‌, ଡାଇବେଟିସ୍‌ ସହିତ କିଡ୍‌ନୀ, ଲିଭର, ସ୍ପାଇନାଲ୍‌ କର୍ଡ ସମସ୍ୟା ଆଦି ଦୂର ହୋଇଥାଏ ବୋଲି ସାନ୍‌ ଫ୍ରାନ୍ସିକୋର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାରେ କାହିଁକି ୬୮ ପ୍ରତିଶତ ଲୋକଙ୍କ ଘରେ ପୋଷା ପ୍ରାଣୀ ପାଳନ କରାଯାଇଥାଏ ସେ ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ। ମନୁଷ୍ୟଙ୍କ ଉପରେ ପଡୁଥିବା ପୋଷା ପ୍ରାଣୀଙ୍କ ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ହୋଇଥିଲା। ଘରେ ପାଳିତ ହୋଇଥିବା ପୋଷା ପ୍ରାଣୀଙ୍କର ସକାରାତ୍ମକ ପ୍ରଭାବ ନବଜାତ ଶିଶୁ ଉପରେ ମଧ୍ୟ ପଡ଼ିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ଅଟିଜିମ୍‌, ଅଲଝାଇମର୍‌, ମାନସିକ ବିସାଦ ଆଦି ସମସ୍ୟା ପୋଷା ପ୍ରାଣୀଙ୍କୁ ଘରେ ପାଳନ କରିବା ଦ୍ୱାରା ସହଜରେ ଦୂର ହୋଇପାରିଥାଏ ବୋଲି ଗବେଷକ କହିଛନ୍ତି।