ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇପାରିବେ କରୋନା ପୀଡ଼ିତ !

ପାଟନା,୨୩।୬: ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ମତଦାତାଙ୍କ ପାଇଁ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ଏଣିକି କରୋନା ସଂକ୍ରମିତ ମତଦାତା ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇପାରିବେ। ଦେଶବ୍ୟାପି କରୋନା ସଙ୍କଟ ଦେଖାଦେଇଥିବାରୁ ସଂକ୍ରମିତ ମତଦାତାଙ୍କ ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଏନେଇ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ ନିର୍ବାଚନ ଆୟୋଗ କରୋନା ସଂକ୍ରମିତ ମତାଦାତାଙ୍କୁ ପୋଷ୍ଟାଲ ବାଲାଟର ବ୍ୟବହାର କରିବାକୁ ଅନୁମତି ଦିଆଯାଉ ବୋଲି ମନ୍ତ୍ରଣାଳୟକୁ ନିବେଦନ କରିଥିଲେ। ତେବେ ସମସ୍ତଙ୍କ ସୁରକ୍ଷା ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଭାରତରେ କରୋନା ଭାଇରସ୍‌ ପ୍ରକୋପ ପରେ ବିହାର ପ୍ରଥମ ରାଜ୍ୟ ଯେଉଁଠାରେ ବିଧାନସଭା ନିର୍ବାଚନ ହେବ।

Share